ରାଜଧାନୀ ଭୁବନେଶ୍ୱରରେ ଏବେ ଆତ୍ମହତ୍ୟାର ପରିମାଣ ଖୁବ ବଢ଼ିବାରେ ଲାଗିଛି l କମିସନରେଟ୍ ପୁଲିସର ତଥ୍ୟ କହୁଛି ଯେ ପ୍ରତିଦିନ ହାରାହାରି ଜଣେ ଲୋକ ଆତ୍ମହତ୍ୟା କରୁଛନ୍ତି । କିଏ ପ୍ରେମରେ ବିଫଳ ହୋଇ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲାଣି ତ କିଏ ପାଠପଢ଼ା ଚାପରେ ଫ୍ୟାନ୍ରେ ଝୁଲି ପଡ଼ିଲାଣି। ଆର୍ଥିକ ସମସ୍ୟା ଓ ପାରିବାରିକ କଳହଜନିତ ଘଟଣା ବି କିଛି କମ୍ ନୁହେଁ। ମାନସିକ ଚାପରେ ରହି ଲୋକେ କ୍ଷଣିକ ଉତ୍ତେଜନାରେ ସନ୍ତୁଳନ ହରାଇ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି।
କମିସନରେଟ୍ ପୁଲିସର ତଥ୍ୟ ମୁତାବକ, ଭୁବନେଶ୍ୱରରେ ଗତ ଦେଢ଼ବର୍ଷରେ ୫୫୦ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୨ରେ ୩୩୪ ଜଣ ଏହି ବାଟରେ ଜୀବନ ହାରିଥିବାବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୩ର ମାତ୍ର ୭ମାସ ମଧ୍ୟରେ ୨୧୬ଜଣଙ୍କ ଜୀବନ ଯାଇଛି। ଉଦ୍ବେଗର କଥା ଯେ, ଆତ୍ମହତ୍ୟା କରୁଥିବା ଲୋକଙ୍କ ଭିତରୁ ସଂଖ୍ୟାଧିକ ହେଉଛନ୍ତି ଯୁବକ ଯୁବତୀ । ଦେଢ଼ ବର୍ଷରେ ଯେଉଁ ସଂଖ୍ୟା ରହିଛି ତାର ୭୦ ପ୍ରତିଶତ ଯୁବପିଢ଼ି ବୋଲି ତଥ୍ୟରୁ ଜଣାପଡ଼ିଛି । ଯଦି ହିସାବକୁ ନିଆଯାଏ ତେବେ ପ୍ରତିମାସ ପାଖାପାଖି ୩୦ଜଣଙ୍କ ଜୀବନ ଯାଉଛି । ଅର୍ଥାତ୍ ପ୍ରତିଦିନ ରାଜଧାନୀରେ ହାରାହାରି ଜଣେ ଲୋକ ଆତ୍ମହତ୍ୟା କରୁଛି l କମିଶନରେଟ ପୁଲିସର ୩ଟି ଥାନା ଅଞ୍ଚଳର ସ୍ଥିତି ଏ ବାବଦରେ ଅତ୍ୟନ୍ତ ସମ୍ବେଦନଶୀଳ ରହିଛି । ଦେଢ଼ବର୍ଷରେ ଖଣ୍ଡଗିରି ଥାନାରେ ସର୍ବାଧିକ ୧୨୯ ଜଣ ଆତ୍ମହତ୍ୟା କରିଥିବାବେଳେ ତା’ ପଛକୁ ଭରତପୁର ଥାନା ଅଞ୍ଚଳରେ ୮୯ ଓ ତୃତୀୟ ସ୍ଥାନରେ ଥିବା ମଞ୍ଚେଶ୍ବର ଥାନାରେ ୬୭ଜଣ ଆତ୍ମହତ୍ୟା କରିଥିବା ମାମଲା ରହୁଛି । ଏହି ସଂଖ୍ୟା ଇନ୍ଫୋସିଟି ଥାନା ଅଞ୍ଚଳରେ ୩୨, ନୂଆପଲ୍ଲୀ ଥାନା ଅଞ୍ଚଳରେ ୨୯ ଓ ସିଏସ୍ପୁରରେ ୨୪ । ଏୟାରପୋର୍ଟ ଓ ପାହାଳ ଥାନା ଅଞ୍ଚଳରେ ୩ ଜଣ ଆତ୍ମହତ୍ୟା କରିଛନ୍ତି। ଏଥିରେ ରୋକ ଲଗାଇବାଲାଗି କମିସନରେଟ୍ ପୁଲିସ ‘ଷ୍ଟ୍ରାଇଡ୍’ ନାମକ ଏକ ଅଭିଯାନ ଆରମ୍ଭ କରିଛି । ଏଥିରେ ଦୁଇ ଜଣ ବିଶେଷଜ୍ଞଙ୍କୁ ସାମିଲ୍ କରାଯାଇଛି । କମିସନରେଟ୍ ପୁଲିସରେ ଘଟୁଥିବା ପ୍ରତ୍ୟେକ ଆତ୍ମହତ୍ୟା ମାମଲା ବିଶେଷଜ୍ଞ ଟିମ୍ ଦ୍ୱାରା ଯାଞ୍ଚ କରାଯିବ। ଏହାର କାରଣ ଓ ଅନ୍ୟ ଦିଗଗୁଡ଼ିକୁ ବିଶେଷଜ୍ଞ ବିଶ୍ଳେଷଣ କରିବେ। ଏଥିରୁ ଯାହା ତଥ୍ୟ ମିଳିବ, ତାକୁ ନେଇ ତଦନ୍ତକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯିବ। ସେହି ଅନୁସାରେ ଲୋକଙ୍କୁ ସଚେତନ କରାଯିବାଲାଗି ପୁଲିସ କର୍ମଚାରୀଙ୍କୁ ମଧ୍ୟ ତାଲିମ୍ ଦିଆଯିବ। ଏହି ଅଭିଯାନ ମାଧ୍ୟମରେ ସ୍କୁଲ, କଲେଜ୍ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ସଚେତନ କରାଯିବ। ଏପରିକି ଜେଲ୍ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିବାରୁ ସେଠାରେ ମଧ୍ୟ ସଚେତନ କରାଯିବ।

ବିଶେଷଜ୍ଞଙ୍କ କହିବା କଥା ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବୃଦ୍ଧି ପାଇବାର ପ୍ରମୁଖ୍ୟ କାରଣଗୁଡ଼ିକ ଭିତରେ ଅଛି- ପ୍ରେମରେ ବିଫଳତା, ପରୀକ୍ଷାରେ ବିଫଳତା, ଅସମ୍ଭବ ଉଚ୍ଚଅଭିଳାଷ, ନିଶା ସେବନ ତଥା ଇଣ୍ଟରନେଟ୍ ପ୍ରତି ମାତ୍ରାଧିକ ମୋହ। ଏହାଛଡ଼ା ଯୁବବର୍ଗଙ୍କ ମଧ୍ୟରେ ନିଃସଙ୍ଗତା ମଧ୍ୟ ଆତ୍ମହତ୍ୟାର ଅନ୍ୟତମ କାରଣ ପାଲଟିଛି । ଏଭଳି ମାନସିକତାର ଯୁବକ ଯୁବତୀ ପରିବାର ସହ ସମୟ ବିତାଇବା ଆବଶ୍ୟକ । ମାନସିକ ଚାପ ଅତ୍ୟଧିକ ହେଉଥିଲେ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ । ଏଥିପାଇଁ ବିଭିନ୍ନ ହେଲ୍ପଲାଇନ, ଅନଲାଇନରେ ମଧ୍ୟ ମାନସିକ ରୋଗ ବିଶେଷଜ୍ଞମାନେ କାଉନସେଲିଂ କରୁଛନ୍ତି । ତେଣୁ ଆତ୍ମହତ୍ୟା ନ କରି ଏପରି ବିଭିନ୍ନ ଦିଗରେ ପ୍ରୟାସ କରିବା ଉଚିତ l
ଯୁବପିଢ଼ି ହିଁ ସମାଜର ଆଗାମୀ ଭବିଷ୍ୟତ l ହେଲେ ସେଇ ଯୁବପିଢ଼ି ଏବେ ଭବିଷ୍ୟତ କଥା ଚିନ୍ତା ନ କରି ଆତ୍ମହତ୍ୟାକୁ ଏକମାତ୍ର ବିକଳ୍ପ ରୂପେ ବାଛି ନେଉଛନ୍ତି l ଛୋଟ ଛୋଟ କଥାକୁ କେନ୍ଦ୍ର କରି ଆତ୍ମହତ୍ୟାର ନିଷ୍ପତି ନେଉଛନ୍ତି l କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ବାପା, ମା, ସାଙ୍ଗସାଥି ପରିବାରଜନଙ୍କ ସହ ଆଲୋଚନା ନ କରି ସିଧା ଆତ୍ମହତ୍ୟା କରିବାର ନିଷ୍ପତି ନେଉଛନ୍ତି l ଏବେ ଏହା ସମାଜ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି l