
ଆଜି ଏସିଆ କପ ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ୍ । ଆଜିର ମ୍ୟାଚରେ ଶ୍ରୀଲଙ୍କା ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍ ଜିତି ଦୁଇ ଦଳ ହିଁ ନିଜର ଉତ୍ତମ ପ୍ରଦର୍ଶନ କରି ଏହି ସିରିଜରେ ଆଗୁଆ ରହିବାକୁ ଚେଷ୍ଟା କରିବେ । କାରଣ ଉଭୟଙ୍କ ପାଇଁ ଏହି ମ୍ୟାଚ ଖୁବ ଗୁରୁତ୍ଵପୂର୍ଣ୍ଣ ।
ତେବେ ସୂଚନା ଅନୁଯାୟୀ ଏବେ ଉଭୟ ଦଳ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । କିଛି ପ୍ରମୁଖ ଖେଳାଳିଙ୍କ ବିନା ହିଁ କପ୍ ଖେଳିବାକୁ ଯାଉଛନ୍ତି ଦଳ ଦୁଇଟି l ଶ୍ରୀଲଙ୍କା ଟିମକୁ ଦୀର୍ଘ ୨ ବର୍ଷ ପରେ ଫେରିଛନ୍ତି ବିସ୍ଫୋରକ କୁଶଲ ପେରେରା । ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ, ଚରିଥ ଆଶାଲଙ୍କା ପ୍ରମୁଖ ଫର୍ମରେ ରହିଛନ୍ତି । ତେବେ ଆହତ ବା କିଛି ସମସ୍ୟା ହେତୁ ହସରଙ୍ଗା, ଦୁଷ୍ମନ୍ତ ଚାମୀରା, ଦିଲଶାନ ମଦୁଶଙ୍କା ଓ ଲାହିରୁ କୁମାରା ଏସିଆ କପ୍ରୁ ବାଦ ପଡ଼ିଛନ୍ତି ।
ସେପଟେ ବାଂଲାଦେଶରୁ ଇବାଦତ ଓ ଲିଟନ ଦାସ ଆହତ ହୋଇ ବାଦ ପଡ଼ିଛନ୍ତି । ମୁସ୍ତଫିଜୁର ରେହମାନ ବି ଫିଟ୍ନେସ୍ ସମସ୍ୟା ଦେଇ ଗତି କରୁଛନ୍ତି । ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ୮୧.୬୩ ପ୍ରତିଶତ ମ୍ୟାଚ୍ ଜିତିବାର ରେକର୍ଡ ରହିଛି । ମାତ୍ର ଶେଷ ୪ଟି ମ୍ୟାଚ୍ରେ ବାଂଲାଦେଶ ବିଜୟୀ ହୋଇଛି । ତେଣୁ ଆଜି ଉଭୟ ଦେଶ ପରସ୍ପରକୁ କଡ଼ା ଟକ୍କର ଦେବ ଲକ୍ଷରେ ମଇଦାନକୁ ଓଲ୍ହାଇବେ l
ତେବେ ଶ୍ରୀଲଙ୍କା ଦଳରୁ ଆଜି ଖେଳିବାକୁ ଯାଉଥିବା ସମ୍ଭାବ୍ୟ ଖେଳାଳିମାନେ ହେଲେ ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ (ୱିକେଟ ରକ୍ଷକ) , ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ସନକା (ଅଧିନାୟକ), ଦୁଶନ ହେମଥ, ମହୀଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଜିଥା
ସେହିପରି ବାଂଲାଦେଶରୁ ଖେଳିବାକୁ ଯାଉଥିବା ସମ୍ଭାବ୍ୟ ଖେଳାଳିମାନଙ୍କଭିତରେ ରହିଛନ୍ତି ତନଜିଦ ହାସାନ, ଆନାମୁଲ ହକ୍, ନଜମୁଲ ହୋସେନ ଶାନ୍ତୋ, ସାକିବ ଅଲ୍ ହାସନ (ଅଧିନାୟକ), ତୋୱିଦ ହ୍ରିଦୟ, ମୁସଫିକର ରହିମ (ୱିକେଟ କିପର ) , ଅଫିଫ ହୋସେନ, ମେହେଦି ହାସାନ ମିରାଜ, ଟସ୍କିନ ଅହମ୍ମଦ, ହାସାମ ମାମୁଦ, ଶରିଫୁଲ ଇସଲାମ ।
ଗତକାଲି ଏସିଆ କପର ପ୍ରଥମ ମ୍ୟାଚ ଖେଳାଯାଇଥିଲା l ସେଥିରେ ପାକିସ୍ତାନ ଓ ନେପାଳ ପରସ୍ପର ମୁଁହାମୁହିଁ ହୋଇଥିଲେ l ତେବେ ଏହି ମ୍ୟାଚରେ ବଡ଼ ବିଜୟ ସହ ଏସିଆ କପ୍ ଅଭିଯାନ ଆରମ୍ଭ କରି ସାରିଛି ପାକିସ୍ତାନ । ବାବର ଆଜମଙ୍କ ଦଳ ୨୩୮ ରନରେ ନେପାଳକୁ ହରାଇଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ କରିଥିଲା ୩୪୨ ରନ୍ । ଜବାବରେ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା ନେପାଳ ।