UTKAL PRATIDIN

ଆଜି ବାଜପେୟୀଙ୍କ ପୁଣ୍ୟତିଥି

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିଛନ୍ତି। ଏହି ଅବସରରେ ବାଜପେୟୀଙ୍କ ସମାଧି ସ୍ଥଳ ତଥା ‘ସଦୈବ ଅଟଳ’ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାଜପେୟୀଙ୍କ ସାମାଧି ସ୍ଥଳ ‘ସଦୈବ ଅଟଳ’ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ l କେବଳ ଏତିକି ନୁହେଁ ଏମାନଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ଏଥିରେ ଯୋଗ ଦେଇ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଟଳ ବିହାରୀ ବାଜପେୟୀ ଜଣେ ତୁଙ୍ଗ ଜାତୀୟ ନେତା, ଜଣେ ଧୂରୀଣ ରାଜନୀତିଜ୍ଞ, ଜଣେ ନିଃସ୍ୱାର୍ଥପର ସାମାଜିକ କର୍ମୀ, ବଳିଷ୍ଠ ବକ୍ତା, କବି ଓ ସାହିତ୍ୟିକ, ସାମ୍ବାଦିକ ଏବଂ ନିର୍ବିବାଦରେ ଜଣେ ବିବିଧ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଥିଲେ l ସେ ଥିଲେ ଜନସମୂହଙ୍କ ଆଶା ଆକାଂକ୍ଷାର ପ୍ରବକ୍ତା l ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଜାତୀୟତାବାଦ ପ୍ରତି ନିଷ୍ଠା ଅଙ୍କୁରିତ ହୋଇଥାଏ । ବାଜପେୟୀ ଭାରତର ଏକମାତ୍ର ନେତା ଯିଏ ପ୍ରତ୍ୟେକ ବିରୋଧୀ ଦଳ ଦ୍ୱାରା ମଧ୍ୟ ସମ୍ମାନ ମଧ୍ୟ ପାଇଥିଲେ । ଜଣେ ପ୍ରଧାନମନ୍ତ୍ରୀ ଭାବରେ ସେ ଦେଶର ପ୍ରଗତିରେ ବହୁତ ସହଯୋଗ କରିଥିଲେ । ତିନି ଥର ଭାରତ ପ୍ରଧାନମନ୍ତ୍ରୀ ଥିବା ବାଜପେୟୀଙ୍କ ଜନ୍ମ ୨୫ ଡିସେମ୍ବର ୧୯୨୪ ମଧ୍ୟପ୍ରଦେଶର ଗ୍ୱାଲିୟରରେ ହୋଇଥିଲା ସେହିପରି ୨୦୧୮ ମସିହା ଅଗଷ୍ଟ ୧୬ ତାରିଖ ଦିନରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଥିଲା । ଏହିଦିନ ବାଜପେୟୀଙ୍କୁ ହରାଇ ସାରା ଭାରତବର୍ଷ ଦୁଃଖରେ ଭାଙ୍ଗିପଡ଼ିଥିଲା l ଆଜି ବି ପ୍ରତ୍ୟୋକ ଭାରତୀୟଙ୍କ ହୃଦୟରେ ସେ ଅଛନ୍ତି l ଆଜି ବି ସାରା ଭାରତ ମନେପକାଉଛି ତାଙ୍କୁ l

Exit mobile version