ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ବା ଅଫିସରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତବର୍ଷ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଲୋକମାନେ ଏହାକୁ ଖୁବ ପ୍ରଶଂସା କରିବା ସହ ହୃଦୟର ସହ ଏହାକୁ ପାଳନ ମଧ୍ୟ କରିଥିଲେ l ଏହା ସହ ଲୋକମାନେ ତ୍ରିରଙ୍ଗା ସହ ସେଲ୍ଫି ପୋଷ୍ଟ କରି ମଧ୍ୟ ସରକାରଙ୍କ ତରଫରୁ ଇ- ସାର୍ଟିଫିକେଟ ପାଇଥିଲେ l ତେବେ ଲୋକମାନଙ୍କର ସେହି ଉତ୍ସାହ କୁ ଆଖିଆଗରେ ରଖି ପୁଣି ଆଜି ଠାରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି l ସୂଚନା ଅନୁସାରେ, ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସାରା ଦେଶରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ ଜାରି ରହିବ। ନିଜ ଘର ସହିତ ଅଫିସ ଏବଂ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବେ ପ୍ରତିଟି ଭାରତୀୟ । ଦେଶର ଲକ୍ଷେ ୬୦ ହଜାରରୁ ଅଧିକ ପୋଷ୍ଟ ଅଫିସରେ ମାତ୍ର ୨୫ ଟଙ୍କା ମୂଲ୍ୟରେ ମିଳୁଛି ତ୍ରିରଙ୍ଗା । ସାମ୍ବାଧାନିକ ପଦରେ ଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କ ଯାନରେ ତ୍ରିରଙ୍ଗା ଲଗାଇବାର ଅନୁମତି ରହିଛି ।
