ଅଯୋଧ୍ୟାର ରାମ ମନ୍ଦିର ପାଇଁ ସର୍ବବୃହତ ତାଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜୋରସୋରରେ ଚାଲିଛି । ଆସନ୍ତା ବର୍ଷ ତଥା ଜାନୁଆରୀ ୨୦୨୪ରେ ମନ୍ଦିରର ଉଦଘାଟନ ହେବ ବୋଲି ଜଣାପଡିଛି । ଉଦଘାଟନୀ ସମାରୋହ ପାଇଁ ୨୫,୦୦୦ ରୁ ଅଧିକ ଧାର୍ମିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାରି ଭିତରେ ଆଲିଗଡ଼ ଜିଲ୍ଲାର ଜଣେ ବୃଦ୍ଧ କାରିଗର ରାମ ମନ୍ଦିର ପାଇଁ ୪୦୦ କିଲୋଗ୍ରାମର ତାଲା ତିଆରି କରିଛନ୍ତି । ପ୍ରଭୁ ଶ୍ରୀରାମଙ୍କର ଜଣେ ଭକ୍ତ ସତ୍ୟ ପ୍ରକାଶ ଶର୍ମା ‘ବିଶ୍ୱର ସର୍ବ ବୃହତ ହସ୍ତନିର୍ମତ ତାଲା’ ତିଆରି କରିବା ପାଇଁ ମାସ ମାସ ଧରି ପରିଶ୍ରମ କରିଥିଲେ, ଯାହାକୁ ସେ ଚଳିତ ବର୍ଷ ଶେଷ ଆଡ଼କୁ ରାମ ମନ୍ଦିର ପରିଚାଳନା ମଣ୍ଡଳୀକୁ ଉପହାର ଦେବାକୁ ଯୋଜନା କରିଛନ୍ତି । ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ ଅଧିକାରୀ କହିଛନ୍ତି, ବହୁ ସଂଖ୍ୟାରେ ଭକ୍ତଙ୍କ ଠାରୁ ନୈବେଦ୍ୟ ଆସୁଛି । ସତ୍ୟ ପ୍ରକାଶ ଶର୍ମାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତାଲା କେଉଁଠାରେ ବ୍ୟବହାର କରାଯାଇପାରିବ ତାହା ଦେଖିବାକୁ ପଡ଼ିବ । ତାଲା କାରିଗର କହିଛନ୍ତି, ତାଙ୍କ ପିତୃପୁରୁଷମାନେ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ହାତ ତିଆରି କରିଆସୁଛନ୍ତି । ସେ ୪୫ ବର୍ଷରୁ ଅଧିକ ସମୟ ଧରି ‘ତାଲା ନଗରି’ ଆଲିଗଡରେ ତାଲା ତିଆରି ଏବଂ ପଲିସିଂ କରିବା କାର୍ଯ୍ୟ କରିଆସୁଛନ୍ତି । ସେ ଏବେ ରାମ ମନ୍ଦିରକୁ ଧ୍ୟାନରେ ରଖି ଚାରି ଫୁଟର ଚାବିରେ ଖୋଲୁଥିବା ବିଶାଳକାୟ ତାଲା ତିଆରି କରିଛନ୍ତି । ଏହି ତାଲା ୧୦ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ୪.୫ ଫୁଟ ଚଉଡ଼ା ଓ ୯.୫ ଇଞ୍ଚ ମୋଟା ବିଶିଷ୍ଟ ହୋଇଛି । ବିଶାଳକାୟ ତାଲାକୁ ଚଳିତ ବର୍ଷ ଆଲିଗଡ ବାର୍ଷିକ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଥିଲା। ସେ ବର୍ତ୍ତମାନ ତାଲାକୁ ସାମାନ୍ୟ ପରିବର୍ତ୍ତନ କରିବା ସହ ସାଜସଜ୍ଜାରେ ବ୍ୟସ୍ତ ଅଛନ୍ତି । ତାଲା କାରିଗର ସତ୍ୟ ପ୍ରକାଶ ଶର୍ମାଙ୍କୁ ଏହି ବିଶାଳକାୟ ତାଲା ତିଆରି କରିବାରେ ସାହାଯ୍ୟ କରିଛନ୍ତି ତାଙ୍କ ପତ୍ନୀ ରୁକ୍ମିଣୀ ଦେବୀ । ରୁକ୍ମିଣୀ ଦେବୀ କହିଛନ୍ତି, ଏହାପୂର୍ବରୁ ଆମେ ଛଅ ଫୁଟ ଲମ୍ବ ଏବଂ ତିନି ଫୁଟ ଚଉଡା ଏକ ତାଲା ତିଆରି କରିଥିଲୁ । କିନ୍ତୁ କିଛି ଲୋକ ଏକ ବିଶାଳକାୟ ତାଲା ତିଆରି କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ଆମେ ଏହା ଉପରେ କାମ କରିବା ଆରମ୍ଭ କଲୁ, ଏବେ ତାଲାକୁ ଅନ୍ତିମ ରୂପ ଦିଆଯାଉଛି । ଏହି ତାଲା ତିଆରି କରିବା ପାଇଁ ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି । ତାଲା ତିଆରି ପୁରା ହେବ ପରେ ରାମ ମନ୍ଦିରକୁ ଉପହାର ସଦୃଶ ସେମାନେ ପ୍ରଦାନ କରିବେ ବୋଲି କହିଛନ୍ତି l