
ଅଙ୍ଗନବାଡ଼ି ଦିଦିଙ୍କୁ ଏପର୍ଯ୍ୟନ୍ତ ମିଳିପାରିଲାନାହିଁ ସରକାରୀ ମାନ୍ୟତା । ଏବେ ବି ନିଜର ହକ ଓ ଅଧିକାର ପାଇଁ ବାରମ୍ବାର ରାଜରାସ୍ତାରେ ଲଢେଇ କରୁଛନ୍ତି । ଆଉ ଏବେ ତାଙ୍କ ପାଇଁ ଆଉ ଏକ ବଡ଼ ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ନୂଆ ଶିକ୍ଷାନୀତି ପାଇଁ ସେମାନେ ଦ୍ବନ୍ଦରେ ଅଛନ୍ତି । ତାଙ୍କୁ କେଉଁ କ୍ଷତ୍ରରେ ନିୟୋଜନ କରାଯିବ ତାକୁ ନେଇ ତାଙ୍କ ମନରେ ଅନେକ ସନ୍ଦେହ ।
ଆଉ ଚର୍ଚା ହେଉଛି ଅଙ୍ଗନବାଡି ଦିଦିଙ୍କ ହକ୍ ଛଡ଼ାଇ ନେବାକୁ ଚାଲିଛି ଷଡଯନ୍ତ୍ର । ରାଜ୍ୟରେ ଥିବା ଦେଢ ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ଦରମା ବୃଦ୍ଧି ଓ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲେଣି ଲକ୍ଷ ଲକ୍ଷ ଅଙ୍ଗନବାଡ଼ି କର୍ମୀ । ଅଙ୍ଗନବାଡି କର୍ମୀମାନେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ବେଳେ ଏବେ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି ଆଣି ସେମାନଙ୍କୁ ଛଟେଇ କଲା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ।
ନୂଆ ଏଜୁକେସନ ପଲିସି କେବଳ ବାହାନା । ଅଙ୍ଗନବାଡି ଦିଦିଙ୍କ ହକ ଛଡାଇ ନେବାକୁ ଷଡ଼ଯନ୍ତ୍ର । କେନ୍ଦ୍ର ସରକାରଙ୍କ ବିରୋଧରେ ବଡ ଆନ୍ଦୋଳନ ପାଇଁ ସଜବାଜ । ରାସ୍ତାକୁ ଓହ୍ଲାଇବ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ । ନୂଆ ଏଜୁକେସନ ପଲିସିରେ ତୁରନ୍ତ ଅଙ୍ଗନବାଡି ଦିଦିଙ୍କ ଦାୟିତ୍ବ ସ୍ପଷ୍ଟ କରିବାକୁ ଅଙ୍ଗନବାଡ଼ି ଦିଦିମାନେ ଦାବି କରିଛନ୍ତି । ସପ୍ଲିମେଣ୍ଟାରୀ ନ୍ୟୁଟ୍ରେସନ୍ କାର୍ଯ୍ୟକମ୍ରରେ ମୂଲ୍ୟବୃଦ୍ଧିକୁ ଦେଖି ଅଣ୍ଡା ଦର ନିର୍ଦ୍ଧାରଣ କରିବାକୁ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଜିଦ୍ ଧରିଛି । ଦାବି ପୂରଣ ନହେଲେ କାର୍ଯ୍ୟ ଛାଡି ପୁଣି ଲୋୟର ପିଏମଜିରେ ଗର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଲାଗୁ କରାଯାଇଥିବା ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଅଙ୍ଗନବାଡି ଦିନି କ’ଣ କାର୍ଯ୍ୟ କରିବେ ସେ ନେଇ ଦ୍ବନ୍ଦ୍ବରେ ରହିଛନ୍ତି ।
ଏହାସହ ଶିଶୁବାଟିକାରେ ଅଙ୍ଗନବାଡି କର୍ମୀଙ୍କୁ କୌଣସି ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ନରଖି ସିନିୟରିଟି ବେସିସରେ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି । ରାଜ୍ୟରେ ଦେଢ ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମୀ କାର୍ଯ୍ୟ କରୁଥିବା ବେଳେ ଅଙ୍ଗନବାଡି ଦିଦିଙ୍କୁ ୧୦ ହଜାର ଓ ସହାୟିକାଙ୍କୁ ୫ ହଜାର ଟଙ୍କା ଦରମା ପ୍ରଦାନ କରାଯାଉଛି । ଢେର ଦିନ ହେବ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଅଙ୍ଗନବାଡି କର୍ମୀଙ୍କୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିନାହାଁନ୍ତି । ଦିନକୁ ଦିନ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାକୁ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରୁଥିବା ବେଳେ ସେହି ଅନୁସାରେ ପାରିଶ୍ରମିକ ଦେଉ ନାହାଁନ୍ତି ।
ଯାହାକୁ ନେଇ ଅଙ୍ଗନବାଡ଼ି ଦିଦିଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ଆଗାମୀ ଦିନରେ ନିଜର ହକ ଓ ଅଧିକାର ପାଇଁ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଏବେଠାରୁ ପ୍ରସ୍ତୁତ ହେଉଛନ୍ତି ଅଙ୍ଗନବାଡ଼ି ଦିଦି ଓ ସହାୟିକା ମାନେ । ସରକାର ଏମାନଙ୍କ କଥା କେତେଦୂର କର୍ଣ୍ଣପାତ କରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା ।