UTKAL PRATIDIN

ଅଗଷ୍ଟ ୩୧ରୁ କଳାହାଣ୍ଡି ଆକାଶରେ ଉଡିବ ବିମାନ

ଆକାଶପଥରେ ଯୋଡ଼ି ହେବ ଓଡ଼ିଶାର ନୂଆ ଏକ ସ୍ଥାନ l ଏବେ କଳାହାଣ୍ଡି ଜିଲ୍ଲାକୁ ଉଡିବ ବିମାନ । ସହଜରେ ନିଜ ସହରରୁ ହିଁ ବିମାନ ସେବା ପାଇପରିବେ କଳାହାଣ୍ଡିବାସୀ । ତେବେ ଆସନ୍ତା ଅଗଷ୍ଟ ୩୧ ତାରିଖରୁ ଉତ୍କେଲାକୁ ଉଡ଼ିବ ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ଏହାକୁ ଫ୍ଲାଗ ଅପ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଯୋଡି ହେବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ହେବାକୁ ଥିବା ବେଳେ ଆଗକୁ ଏହା ରାୟପୁରକୁ ସମ୍ପ୍ରସାରିତ ହେବ ବୋଲି ସୂଚନା ମିଳିଛି । ପ୍ରତିଦିନ ଭୁବନେଶ୍ବରରୁ ଉତ୍କେଲାକୁ ଗୋଟିଏ ଥର ଚଳାଚଳ କରିବ ବିମାନ ।
ଉତ୍କେଲାରେ ସର୍ବପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବ । ରନୱେ ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଛି । କେନ୍ଦ୍ର ସରକାର ଏହି ବିମାନ ବନ୍ଦରକୁ ଥ୍ରିସି ଘୋଷଣା ମଧ୍ୟ କରିଛନ୍ତି । ରନ୍‌ୱେର ଲମ୍ବ ୧୮ ଶହ ମିଟର ହେବ । ଯେଉଁଥିରେ ବଡ଼ ବିମାନ ମଧ୍ୟ ଅବତରଣ କରିପାରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଝାରସୁଗୁଡ଼ା, ରାଉରକେଲା, ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ କରୁଥିବା ବେଳେ ଏବେ ଏଥିରେ ଯୋଡ଼ି ହେବ ଭବାନୀପାଟଣା । ଉଡାନ ସ୍କିମରେ ଉତ୍କେଳା ବିମାନ ବନ୍ଦର ରାଜ୍ୟର ପଞ୍ଚମ ବିମାନ ବନ୍ଦର ହେବାକୁ ଯାଉଛି । ତେବେ ବାକି ଥିବା ଏୟାର ଷ୍ଟ୍ରିପ ଆଗକୁ ମଧ୍ୟ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ଗ୍ରାହକ ସନ୍ତୁଷ୍ଟି ସର୍ଭେରେ 9ମ ସ୍ଥାନରେ ଝାରସୁଗୁଡ଼ା ବିମାନବନ୍ଦର ରହିଛି । ଝାରସୁଗୁଡ଼ା ବିମାନବନ୍ଦର ୪.୮୩ ସ୍କୋର ହାସଲ କରିଥିଲା । ସମୁଦାୟ ୨୪ ପାରାମିଟର ପାଇଁ ପାଞ୍ଚ ପଏଣ୍ଟ ସ୍କେଲ ମାଧ୍ୟମରେ ଗ୍ରାହକ ସନ୍ତୁଷ୍ଟ ସର୍ଭେ ହୋଇଥିଲା । ଏକ ନମ୍ବରରେ ରହିଥିଲା ଭୋପାଳ ବିମାନବନ୍ଦର । ଯାହାର ସ୍କୋର ୪.୯୯ ରହିଥିଲା ।
ତେବେ ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ରାଉରକେଲାରୁ କୋଲକାତାକୁ ମଧ୍ୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ କେବଳ ରାଉରକେଲାରୁ ରାଜଧାନୀ ଭୁବନେଶ୍ବରକୁ ବିମାନସେବା ଜାରି ରହିଥିବା ବେଳେ ସେପ୍ଟେମ୍ବର ୧ରୁ କୋଲକାତାକୁ ବିମାନସେବା ଆରମ୍ଭ ହେବ । ଏଠାରୁ ଅନ୍ୟ ରାଜ୍ୟକୁ ବିମାନ ସେବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ତେବେ ଏହି ଦାବିରେ ପ୍ରଥମେ ପଶ୍ଚିମବଙ୍ଗର କୋଲକାତା କୁ ବିମାନ ସେବା ଆରମ୍ଭ କରାଯାଉଛି l

Exit mobile version