
ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ପରେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା । ଆଜି ଅର୍ଥାତ ୬ ତାରିଖରୁ ଆସନ୍ତା ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହା ସହ ଆସନ୍ତା ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ । ଏହି ସବୁ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୭ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଅର୍ଥାତ ପୂରା ଉପକୂଳ ଓଡ଼ିଶା ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୮ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହୁଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପକ୍ଷରେ ଚଳିତମାସ ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଇମେଟ୍ ଅନୁମାନ କରିଛି । ଗତ ଜୁଲାଇ ୨୯ ତାରିଖର ଲଘୁଚାପ ଓ ପରେ ଅବପାତ ଦ୍ଵାରା ନିଅଣ୍ଟିଆ ବର୍ଷାର ପରିମାଣ ଭରଣ ହୋଇଛି । ୫ ଦିନ ବର୍ଷାର ପରିମାଣ ନିଅଣ୍ଟିଆ ସ୍ଥିତିକୁ ଭରଣା କରି ଆହୁରି ୩% ଅଧିକ ବର୍ଷା ରେକର୍ଡ କରି ସରିଲାଣି ରାଜ୍ୟ l ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୦୮ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୬୫% ଅଧିକ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ , ଜୁନ୍ ୧ରୁ ଅଗଷ୍ଟ ୫ ମଧ୍ୟରେ ରାଜ୍ୟରେ ୬୩୪.୪ ମିମି ବର୍ଷା ହୋଇସାରିଲାଣି। ଯାହାକି ଏହି ସମୟରେ ହେବାକୁ ଥିବା ବର୍ଷା ୬୧୫.୬ ମିମି ତୁଳନାରେ ୩% ଅଧିକ । ଆଗକୁ ଆହୁରି ବର୍ଷାର ପରିମାଣ ବୃଦ୍ଧି ହେବାକୁ ଥିବାରୁ ସତର୍କ ରହିବାକୁ କୁହାଯାଇଛି l