Site icon UTKAL PRATIDIN

୧୪ଟି ବିଦ୍ୟାଳୟର ବିକାଶ ନିମନ୍ତେ ଟଙ୍କା ମଞ୍ଜୁରୀ

photo_6275930685818648069_x

ରାଜ୍ୟର ୧୪ଟି ବିଦ୍ୟାଳୟର ବିକାଶ ନିମନ୍ତେ ୧୧ କୋଟି ୬୮ ଲକ୍ଷ ଟଙ୍କାର ମଞ୍ଜୁରୀ ରାଜ୍ୟରେ ବିଭିନ୍ନ ସ୍କୁଲର ଭିତ୍ତିଭୂମିର ବିକାଶ ଓ ଆନୁଷଙ୍ଗିକ ସୁବିଧା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅର୍ଥ ମଞ୍ଜୁର କରିଛି । ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରଣାଳ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଅନୁଗୁଳ ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧ କୋଟି ୧୦ ଲକ୍ଷ ଓ ଢେଙ୍କାନାଳର ବଜ୍ରନାଥ ବଡଜେନା ହାଇସ୍କୁଲ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁନ ୨୪ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପଢୁଥିବା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ଗସ୍ତ କରିଥିଲେ । ଏହି ଅବସରରେ ସେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କଥା ହେବା ସହିତ ବିଦ୍ୟାଳୟର କାର୍ଯ୍ୟ ଗୁଡିକୁ ଦେଖିଥିଲେ l ଏହା ସହ ସ୍କୁଲର ବିକାଶ ପାଇଁ ଭାରତ ସରକାର ଦାୟିତ୍ୱ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଢେଙ୍କାନାଳର ବଜ୍ରନାଥ ବଡଜେନା ହାଇସ୍କୁଲର ପୁରାତନ ଛାତ୍ର ସଂଘର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟି ସ୍କୁଲର ଉନ୍ନତିକରଣ ଓ ଆନୁଷଙ୍ଗିକ ସୁବିଧା ପାଇଁ ଅନୁରୋଧ କରିଥିଲେ । ଉଲ୍ଲେଖନୀୟ ଯେ ଶିକ୍ଷା ମନ୍ତ୍ରଣାଳୟ ଅନୁସାରେ ଏହି ଦୁଇଟି ସ୍କୁଲ ବ୍ୟତିତ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ପକ୍ଷରୁ ବରଗଡ଼ର ରଣାପ୍ରତାପ ହାଇସ୍କୁଲ ପାଇଁ ୫୪.୧୦ ଲକ୍ଷ, ଢେଙ୍କାନାଳ ଭୁବନ ବ୍ଲକର ପଞ୍ଚାୟତରାଜ ସରକାରୀ ହାଇସ୍କୁଲ ପାଇଁ ୧ କୋଟି, ଗଜପତି ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ମ୍ୟୁନିସିପାଲଟି ହାଇସ୍କୁଲ ପାଇଁ ୭୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠ ବ୍ଲକର ଜି.ନୂଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୫ ଲକ୍ଷ, ଜଗତସିଂହପୁର ଜିଲ୍ଲା ନୂଆ ଗାଁ ବ୍ଲକର ଅଲନାହାଟ ହାଇସ୍କୁଲ ପାଇଁ ୭୬ ଲକ୍ଷ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ପାଇଁ ୮୩.୮୦ ଲକ୍ଷ, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ସରକାରୀ ବାଳିକା ହାଇସ୍କୁଲ ପାଇଁ ୫୫.୯୫ ଲକ୍ଷ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫେଜ୍-୨ ସରକାରୀ ହାଇସ୍କୁଲକୁ ୮୩.୮୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି l ଅନୁରୂପ ଭାବରେ ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ସ୍ଥିତି କାକିରିଗୁମା ହାଇସ୍କୁଲକୁ ୫୭ ଲକ୍ଷ, ମୟୂରଭଞ୍ଜ ଜିଲ୍ଲା ଉପରବେଢା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୧୦ ଲକ୍ଷ ଓ ବାଙ୍ଗିରିପୋଷୀ ସ୍ଥିତ ଭୂଆସୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୫ ଲକ୍ଷ, ରାୟଗଡ଼ା ଜିଲ୍ଲା ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲ ପାଇଁ ୫୬.୮୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ସବୁ ଅର୍ଥରେ ସ୍କୁଲର ଭିତ୍ତିଭୂମି ତଥା ଶ୍ରେଣୀଗୃହ, ସ୍ମାର୍ଟ ଶ୍ରେଣୀଗୃହ, ଶୌଚାଳୟ, ପାନୀୟ ଜଳ, ଖେଳ ପଡିଆ, ରୋଷେଇ ଘରର ଉନ୍ନତି ସମେତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯିବ । ପିଲାମାନଙ୍କୁ ପାଠପଢା ସମୟରେ ବିଦ୍ୟାଳୟରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ସେସବୁ ଦୂରୀକରଣ କରିବା ପାଇଁ ଚେଷ୍ଟା କରାଯିବ l

Exit mobile version