Site icon UTKAL PRATIDIN

୧୦ ହଜାର ଟଙ୍କା ପାଇଁ ନିଜ ଛୁଆକୁ ବିକିଲା ମାଆ

photo_6204125687397333032_x

ବଲାଙ୍ଗିର : ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’। ଦାମ୍ପତ୍ୟ ଜୀବନରେ କଳହ ହେବାରୁ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ଜଣେ ମହିଳା ନିଜ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଶିଶୁ ବିକ୍ରି ନେଇ ଏଭଳି ଅଭିଯୋଗ ଆସିଛି l ଅଭିଯୋଗ ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁରର ଅକ୍ଷୟ ପଟେଲ ଗତ କିଛି ବର୍ଷ ପୂର୍ବେ ମାନସୀ ବାଗ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଓ ଏହା ପରେ ମାନସୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତେବେ କୌଣସି କାରଣକୁ ନେଇ ମାନସୀ ଓ ଅକ୍ଷୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଉଭୟ ଅଲଗା ରହିବାକୁ ଆରମ୍ଭ କରିଥିଲେ l କିନ୍ତୁ ଛୁଆଟି ଅକ୍ଷୟଙ୍କ ପାଖରେ ରହୁଥିଲା। ହଠାତ୍‌ ଦିନେ ମାନସୀ ବୁଲାଇ ନେବାର ଆଳ କରି ସ୍ୱାମୀଙ୍କ ପାଖରୁ ଛୁଆକୁ ଆଣି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅକ୍ଷୟ ଓ ତାଙ୍କର ସମ୍ପର୍କୀୟ ଏହି ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ଟିଟିଲାଗଡ଼ ଥାନାକୁ ଯାଇ ଏତଲା ଦେଇଥିଲେ l ରିପୋର୍ଟ ଲେଖାଯିବା ପରେ ବି ଏବେ ସୁଦ୍ଧା ପୋଲିସ ମାମଲା ରୁଜୁ କରିନଥିବା ଅଭିଯୋଗ ମଧ୍ୟ କରାଯାଇଛି l ମାଆ ସର୍ବଦା ନିଜ ପିଲାକୁ କାନି ତଳେ ଘୋଡାଇ ସୁରକ୍ଷା ପ୍ରଦାନ କରିଥାଏ ହେଲେ ଏଠାରେ ମାଆ ନିଜ ପିଲାକୁ ସାମାନ୍ୟ କିଛି ଟଙ୍କା ପାଇଁ ବିକ୍ରି କରିଦେଉଛି ଯାହାକି ନିହାତି ଭାବେ ଏକ ଘୃଣ୍ୟ ଅପରାଧ ବୋଲି କୁହାଯାଇପାରିବ l

Exit mobile version