Site icon UTKAL PRATIDIN

୧୦ ଲକ୍ଷ ରେ ସରକାରୀ ଚାକିରୀ ବିକ୍ରି

23-07-17_11-23-51-222

ବାଲେଶ୍ୱର : ଚାକିରୀ କରାଇ ଦେବାର ଲୋଭ ଦେଖାଇ ନିଯୁକ୍ତି ଆଶାୟୀ ମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟୁଥିବା ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ୯ ଜଣ ଦଲାଲ ଙ୍କୁ ରବିବାର ଦିନ ବାଲେଶ୍ୱର ଜିଲ୍ଲା ପୁଲିସ ଗିରଫ କରିଛି l
ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆୟୋଜିତ ହୋଇଥିବା ସିଜିଏଲ(କମ୍ଭାଇଣ୍ଡ ଗ୍ରାଜୁଏଟ ଲେବଲ ) ପରୀକ୍ଷା ରବିବାର ଦିନ ହୋଇଥିବା ବେଳେ ରାଜ୍ୟ ର ବିଭିନ୍ନ ଦିଗ ରୁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କୁ ଏହି ଦଲାଲ ମାନେ ଏକାଠି କରି ବାଲେଶ୍ୱର ଆଣିଥିଲେ l କିନ୍ତୁ ଦଲାଲ ମାନେ ତାଙ୍କ ଚାଲ ରେ ସଫଳ ହୋଇପାରିନଥିଲେ ସେହି ସମୟରେ ପୁଲିସ ଆସି ଅତର୍କିତ ଚଢ଼ାଉ କରି ସମସ୍ତଙ୍କୁ ଧରିଥିଲା l ଚଢ଼ାଉ ବେଳେ ଠକେଇ ରେ ବ୍ୟବହୃତ ହୋଇଥିବା ଗୋଟିଏ ବସ, ୧୫ ଟୀ ମୋବଇଲ, ୬ ଟୀ ଚାରିଚକିଆ ଯାନ, ନଗଦ ୨୨ ହଜାର ୫୦୦ ଟଙ୍କା, ୩ ଟୀ ବ୍ଲାଙ୍କ ଚେକ ସହ ପରୀକ୍ଷାର୍ଥୀ ଙ୍କ ସାଟିଫିକେଟ ଜବତ କରାଯାଇଛି ବୋଲି ବାଲେଶ୍ୱର ଜିଲ୍ଲା ଏସ ପି ସାଗରୀକା ନାଥ ସୂଚନା ଦେଇଛନ୍ତି l ଗିରଫ ଦଲାଲ ମାନେ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ବିଶ୍ୱରଂଜନ ମହାପାତ୍ର, ଭୁବନେଶ୍ୱର ର ଉପକଣ୍ଠ ଓ ବିଜେନ୍ଦ୍ର କୁମାର, ଯାଦୁପୁର ର ସାଇନା ପରବିନ, ମୁସ୍ତକ ଅଲ୍ଲୀ ଖାନ ଓ ଏମ ଡି କରମୁଦ୍ଦିନ , ବିଶାଖାପାଟଣା ର ମହମ୍ମଦ କେ ସିଦିକ, ବିହାର ର ଅଜୟ କୁମାର, ରାଜକୁମାର, ଦୀପକ କୁମାର l
ବିଶ୍ୱରଂଜନ ହେଉଛନ୍ତି ଏହି ଗ୍ୟାଙ୍ଗ ର ମୁଖ୍ୟ l ବିଭିନ୍ନ ରାଜ୍ୟ ରୁ ଆସୁଥିବା ଶତାଧିକ ନିଯୁକ୍ତି ଆଶାୟୀ ଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ ର ଦଲାଲ ମାନେ l ବିଭିନ୍ନ ରାଜ୍ୟ ରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃ ପକ୍ଷ ଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତି ଭାବେ ନିଜକୁ ପରିଚୟ ଦେଇ ଏମାନେ ପ୍ରଶ୍ନ ପତ୍ର ଓ ଚାକିରୀ ପିଛା ୧୦ ରୁ ୧୬ ଲକ୍ଷ ଟଙ୍କା ଦାବି କରୁଥିଲେ ଆଶାୟୀ ଙ୍କ ଠାରୁ l ପରୀକ୍ଷାର୍ଥୀ ଠାରୁ ସମସ୍ତ ଶିକ୍ଷାଗତ ଅସଲି ପ୍ରମାଣପତ୍ର ଓ ସେମାନଙ୍କ ଦସ୍ତକ୍ଷତା ରେ ଦୁଇ ଟୀ ବ୍ଲାଙ୍କ ଚେକ ହାତେଇବା ପରେ ଆରମ୍ଭ କରୁଥିଲେ ତାଙ୍କ ଖେଳ l ସଂଯୋଗକ୍ରମେ ଯଦି କେହି ପରୀକ୍ଷାର୍ଥୀ ପରୀକ୍ଷା ରେ ପାସ କରୁଥିଲେ ଏମାନେ ତାଙ୍କ ପାଖରୁ ଦାବି ମୁତାବକ ଅର୍ଥରାଶି ନେବା ପରେ ଯାଇ ଶିକ୍ଷାଗତ ପ୍ରମାଣ ପତ୍ର ଦେଉଥିଲେ l
ରବିବାର ଦିନ ସିଜିଏଲ ପରୀକ୍ଷା ଥିବା ବେଳେ ଏହି ଗ୍ୟାଙ୍ଗ୍‌ ଦିନକ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ କହି ପାଖାପାଖି ୧୦୦ ଛାତ୍ରଛାତ୍ରୀଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଓ ୨ଟି ଟୁରିଷ୍ଟ ଗାଡ଼ି ଯୋଗେ ଭୁବନେଶ୍ବରରୁ ବାଲେଶ୍ବର ଜିଲ୍ଲା ତାଳସାରୀ ଥାନା ଅଞ୍ଚଳକୁ ଆଣିଥିଲେ। ସେଠାରେ ଏକ ହୋଟେଲ୍‌ରେ ସମସ୍ତଙ୍କୁ ରଖି ଯୋଜନା ମୁତାବକ ପ୍ରଶ୍ନପତ୍ର ପାଇଁ ଡିଲ୍‌ ଆରମ୍ଭ କରିଥିଲେ। ଏସଂପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଏସ୍‌ପି ସାଗରିକା ନାଥ ଏକ ୨୦ ଜଣିଆ ପୁଲିସ ଟିମ୍‌ ଗଠନ କରିବା ସହ ତୁରନ୍ତ ଚଢଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଲେଶ୍ବର ସିଟି ଡିଏସ୍‌ପି ଗାୟତ୍ରୀ ପ୍ରଧାନ, ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଓ ସଦର ଥାନା ଆଇଆଇସି ଜୟନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ୍‌ ତାଳସାରୀ ଥାନା ଅଞ୍ଚଳରେ ଥିବା ଉକ୍ତ ହୋଟେଲ୍‌ ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଚଢ଼ାଉ କରି ଦଲାଲମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ସହଦେବଖୁଣ୍ଟା ଥାନାରେ ୩୦୩/୨୩ରେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ବିଶ୍ବରଞ୍ଜନ ନାଁରେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ନିରାକାରପୁର ଓ ଗଞ୍ଜାମର ଆସ୍କା ଥାନାରେ ଅପରାଧିକ ମାମଲା ରହିଛି ବୋଲି ଏସ୍‌ପି କହିଛନ୍ତି।

Exit mobile version