ନିଅଣ୍ଟିଆ ବର୍ଷା ଏବେ ଚାଷୀର ଚିନ୍ତା ବଢ଼ାଇଛି । ଧାନ ଚାଷ ଆରମ୍ଭ ହୋଇ ପାରୁନି । ଦୁଶ୍ଚିନ୍ତା ଚାଷୀକୁ ମାଡ଼ି ଆସିଲାଣି । ଅଗଷ୍ଟ ମାସ ଚାଷ କାର୍ଯ୍ୟ ପାଇଁ ଖୁବ୍ ଅନୂକୁଳ ହୋଇଥିବା ବେଳେ ବର୍ଷାର ସ୍ଥିତି ଦେଖି ଏବେ ହତାଶ ହୋଇପଡ଼ିଛନ୍ତି ଚାଷୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଆବଣ୍ଟନରେ ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି । ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ମଧ୍ୟ ବୃଦ୍ଧି ପାଇବାର ସନ୍ଦେହ କରାଯାଉଛି।
ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ୧୧ଟି ଜିଲ୍ଲାରେ ସ୍ବାଭାବିକଠାରୁ ୨୦ ରୁ ୩୫ ପ୍ରତିଶତ କମ ବର୍ଷା ହୋଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆଶା ରହିଛି । ତେବେ ଦ୍ବିତୀୟ ଏବଂ ତୃତୀୟ ସପ୍ତାହରେ ମଧ୍ୟ ବର୍ଷାର ସମ୍ଭାବନା ନାହିଁ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ଅଗଷ୍ଟ ମାସରେ ୧ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ ଅଟେ । ଗତ ୫ ବର୍ଷର ଅଗଷ୍ଟମାସର ବର୍ଷା ତୁଳନାରେ ଚଳିତ ବର୍ଷ ଖୁବ୍ କମ୍ ବର୍ଷା ରେକର୍ଡ କରାଯାଇଛି ।
ତେବେ ୩୧ ତାରିଖରୁ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ଆକଳନ କରାଯାଇଛି । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବ ରହିଛି । ଦିଲ୍ଲୀରେ ମଧ୍ୟ ଖୁବ୍ କମ୍ ବର୍ଷା ହୋଇଥିବା ଦେଖାଯାଇଛି । ଅଗଷ୍ଟ ମାସରେ ଦିଲ୍ଲୀ-ଏନସିଆର ୨୨୬.୮ ମିଲିମିଟର ବର୍ଷା ତୁଳନାରେ ୯୧.୯ ମିଲିମିଟର ବର୍ଷା ରେକର୍ଡ କରିଛି । ଯାହା ଅଗଷ୍ଟରେ ସାଧାରଣ ତୁଳନାରେ ୬୦ ପ୍ରତିଶତ କମ୍ ଅଟେ । ପୂର୍ବ ବର୍ଷମାନଙ୍କ ଅପେଷା ଚଳିତ ବର୍ଷ ବର୍ଷାର ପରିମାଣ କମ୍ ରହିଥିବା କୁହାଯାଉଛି । ଦେଶର ବିଭିନ୍ନ ସ୍ଥାନରେ କମ୍ ବୃଷ୍ଟିପାତ ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଚାଷ ନିମନ୍ତେ ଚାଷୀ ଏବେ ଖୁବ ଚିନ୍ତାରେ l
