
ଥମିବା ପରିବର୍ତ୍ତେ ତେଜିବାରେ ଲାଗିଛି ମଣିପୁର ହିଂସା । ବିଷ୍ଣୁପୁର ଜିଲ୍ଲାରେ ଗତକାଲି ରାତିରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି। ପ୍ରତ୍ୟୋକ ଦିନ ଏଠି ସାଧାରଣ ଲୋକଙ୍କ ଜୀବନ ଯାଉଛି । କେବଳ ସେତିକି ନୁହେଁ, ସରକାରୀ ଅସ୍ତ୍ରଶନ୍ତ୍ର ଉପରେ ମଧ୍ୟ କବଜା କରିନେଇଛନ୍ତି ଉପଦ୍ରବକାରୀମାନେ । ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ମେ’ ୩ରେ ହୋଇଥିବା ଲୁଟପାଟରେ ବିଭିନ୍ନ ରାଇଫଲର ୧୯ହଜାରରୁ ଅଧିକ ଗୁଳି, ଏ.କେ ସିରିଜର ଏ.କେ ଆସଲ୍ଟ ରାଇଫଲ, ୩ଟି ‘ଘାତକ’ ରାଇଫଲ, ୧୯୫ଟି ସେଲ୍ଫ ଲୋଡିଂ ରାଇଫଲ୍, ୫ଟି ଏମପି-୪ ବନ୍ଧୁକ, ୧୬.୯ ଏମଏମର ପିସ୍ତଲ, ୨୫ଟି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ୨୧ଟି କାର୍ବାଇନ୍, ୧୨୪ଟି ହାତ ଗୋଳା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଲୁଟିନେଇଛନ୍ତି ଆକ୍ରମଣକାରୀ । ଏହା ସହ ୫ ଲକ୍ଷ ରାଉଣ୍ଡର ଗୁଳିଗୋଳା ମଧ୍ୟ ଲୁଟ୍ କରିନେଇଛନ୍ତି ଆକ୍ରମଣକାରୀ । ପୋଲିସ କୌଟୁକ ହିଲ୍ ରେଞ୍ଜରେ ଅଭିଯାନ ଚଲାଇ ୬ ବେଆଇନ ବଙ୍କରକୁ ନଷ୍ଟ କରିଛି । ହେଲେ ଏହି ବଙ୍କରକୁ କେଉଁ ସମ୍ପ୍ରଦାୟ ପକ୍ଷରୁ ନିର୍ମାଣ କରାଯାଇଥିଲା ସେନେଇ ସୂଚନା ଦିଆଯାଇନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ୧୨୯ଟି ଚେକ୍ ପଏଂଟ କରାଯାଇଛି । ମଣିପୁର ହିଂସା ମାମଲାରେ ଏଯାଏଁ ପ୍ରାୟ ୧ ହଜାର ୪୦ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । କୁକି ଓ ମୈତେଇ ସମ୍ପ୍ରଦାୟ ଭିତରେ ୯୧ ଦିନ ଧରି ହିଂସା ଚାଲିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ । ହିଂସାରେ ବର୍ତମାନ ସୁଦ୍ଧା ୧୬୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି । ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇସାରିଛନ୍ତି । ହେଲେ ଏବେ ବି ହିଂସାକାଣ୍ଡ କମିବାର ନାଁ ନେଉନାହିଁ l