
ହାଇ ହିଲ ପିନ୍ଧି ଦୌଡିଲେ ଯୁବକ ହାଇ ହିଲ ପିନ୍ଧିବା ଅବା କାହାକୁ ପସନ୍ଦ ନୁହେଁ, ମହିଳାଙ୍କୁ ଅଧିକ ଷ୍ଟାଇଲିଶ୍ ଲୁକ ଦିଏ ହାଈ ହିଲ୍। ହେଲେ ଏହାକୁ ଅଧିକ ସମୟ ପିନ୍ଧି ଚାଲିଲେ ପାଦରେ ବହୁ ଯନ୍ତ୍ରଣା ମଧ୍ୟ ଅନୁଭବ ହୁଏ। ତେଣୁ ହାଇ ହିଲ କୁ ପିନ୍ଧି ଦୌଡିବା କଥା ତ ଭାବି ହେବନି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳା ନୁହେଁ ଏଠି ଜଣେ ପୁରୁଷ ବ୍ୟକ୍ତି ହାଈ ହିଲ ପିନ୍ଧି ଦ୍ରୁତ ବେଗରେ ଦୌଡି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ୩୪ ବର୍ଷୀୟ ଖ୍ରୀଷ୍ଟିୟାନ ରୋବେର୍ଟୋ ଲୋପେଜ୍ ରୋଡ୍ରିଗେଜ୍। ୭ସେ.ମି. ଉଚ୍ଚତାର ହାଈ ହିଲ ପିନ୍ଧି ୧୦୦ ମିଟର ସ୍ପ୍ରିଣ୍ଟକୁ ମାତ୍ର ୧୨.୮୨ ସେକେଣ୍ଡରେ ପାର୍ କରି ଉକ୍ତ ରେକର୍ଡ କରିଛନ୍ତି ସ୍ପେନ୍ର ରୋଡ୍ରିଗେଜ୍ । ଉସେନ୍ ବୋଲ୍ଟଙ୍କ ୧୦୦ ମିଟର ସ୍ପ୍ରିଣ୍ଟ ରେକର୍ଡ ଠାରୁ ଏହା ମାତ୍ର ୩.୨୪ ସେକେଣ୍ଡ କମ୍ ଥିଲା । ରୋଡ୍ରିଗେଜ୍ କହିଛନ୍ତି ଯେ,’ସ୍ପେନ୍ରେ ଏଭଳି ହାଈ ହିଲ୍ ପିନ୍ଧା ଦୌଡ଼ ଆୟୋଜନ ହୁଏ ଓ ମୁଁ ସେଥିରେ ଅଂଶ ଗ୍ରହଣ କରି ଅନେକ ଥର ସଫଳ ମଧ୍ୟ ହେଇଛି । ଏହା ହିଁ ମତେ ସାହାଯ୍ୟ କରିଥିଲା ହାଈ ହିଲ ପିନ୍ଧି ଦ୍ରୁତ ଗତିରେ ୧୦୦ ମିଟର୍ ଦୌଡି ଗିନିଜ ବିଶ୍ୱ ରେକର୍ଡ ହାସଲ କରିବା ପାଇଁ। କେବଳ ଏହି ରେକର୍ଡ ନୁହେଁ ରୋଡ୍ରିଗେଜ୍ଙ୍କ ନାମରେ ଆହୁରି ୫୦ଟି ଓ୍ବାର୍ଲଡ ରେକର୍ଡ ଅଛି। ଯେଉଁଥିରେ ଦ୍ରୁତ ବେଗରେ ପଛୁଆ ୧୦୦ ମିଟର ଦୌଡ, ଥୋମଣିରେ ସାଇକେଲକୁ ୯ ମିନିଟ ୪୧ ସେକେଣ୍ଡ ପର୍ଯ୍ୟନ୍ତ ରଖିବା ଆଦି ଅନ୍ତର୍ଭୁକ୍ତ।