
କେନ୍ଦ୍ରାପଡା : ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଡ଼ଆଙ୍କୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ହେଲେ ସ୍କୁଲରେ ଏତେ ପିଲାଙ୍କ ନିମନ୍ତେ କେବଳ ୪ ଜଣ ଶିକ୍ଷକ ଓ ଜଣେ ଖେଳ ଶିକ୍ଷକ ଅଛନ୍ତି । ତେବେ ଆବଶ୍ୟକ ଅନୁସାରେ ସ୍କୁଲରେ ଶିକ୍ଷକ ନଥିବାରୁ ପିଲାମାନଙ୍କ ପାଠ ପଢ଼ାରେ ଅନେକ ଅସୁବିଧା ହେଉଥିବା କଥା ଅଭିଭାବକ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଅନ୍ୟପଟେ ଏବେ ସ୍କୁଲରେ ଶିକ୍ଷକ ନିଯୁକ୍ତି ବଦଳରେ ଏଠାରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଉଥିବା ଅଭିଭାବକ ଶୁଣିଥିଲେ । ଫଳରେ ସ୍କୁଲରେ ତାଲା ପକାଇ ୫ ଘଣ୍ଟାକାଳ ଧାରଣାରେ ବସିଥିଲେ ଅଭିଭାବକ । ଶିକ୍ଷକଙ୍କର ବଦଳି ବାତିଲ କରାଯିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇବାକୁ ଦାବି କରିଛନ୍ତି ଲୋକେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କୁହାଯାଇଛି । ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଅତିରିକ୍ତ ତହସିଲଦାର ମାନସ ରଂଜନ ସ୍ୱାଇଁ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ସ୍କୁଲ ଗେଟରେ ତାଲା ଖୋଲିଥିଲେ । କିନ୍ତୁ ତାଙ୍କର ଦାବି ପୂରଣ ନହେଲେ ଆଗାମୀ ଦିନର ପରିସ୍ଥିତି ଖରାପ ହେବ ବୋଲି ସେମାନେ କହିଛନ୍ତି l