କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଅଘଟଣ ଘଟିଛି । ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ସାପ କାମୁଡ଼ିଥିବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ମିଳିଛି । ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତ ଛାତ୍ରଛାତ୍ରୀମାନେ ହେଉଛନ୍ତି- ରାଜା ନାଏକ, ସ୍ନେହାଶ୍ରୀ ନାଏକ ଓ ଏଲିନା ନାଏକ। ସେହିପରି ଗୁରୁତର ଥିବା ଛାତ୍ରଙ୍କ ନାଁ ଆକାଶ ନାଏକ। ତେବେ ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା । ଆଜି ସକାଳେ ଏନେଇ ଜଣାପଡିଥିଲା । ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ମୃତ ଏଲିନାଙ୍କ ମା ଦମୟନ୍ତୀ ନାଏକ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ସେ ଝିଅ ସହିତ ଫୋନରେ କଥା ହୋଇଥିଲେ। ଆସନ୍ତା ୩୦ ତାରିଖରେ ସେ ତା ପାଖକୁ ଯିବେ ବୋଲି କହିଥିଲେ। କିନ୍ତୁ ଆଜି ସକାଳେ ଫୋନ୍ ଆସିଲା ଝିଅ ଆଉ ନାହିଁ। ଏହା ଏକା ବହୁତ ବଡ ଦୁଃଖଦ ଘଟଣା l କୋଚିଂ ସେଣ୍ଟର ପିଲାମାନଙ୍କୁ ରଖୁଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବ ଉଚିତ l ଏଲିନାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ରାତି ୩ଟାରୁ ଏ ଘଟଣା ଘଟିଲାଣି। କିନ୍ତୁ ପରିବାର ଲୋକଙ୍କୁ କିଛି କୁହାଯାଇ ନଥିଲା। ସାପ କାମୁଡ଼ିଛି ବୋଲି ଆମେ ବାହାର ଲୋକଙ୍କ ଠାରୁ ଶୁଣିଛୁ। କି ସାପ ତାହା ବି ସ୍ପଷ୍ଟ ହୋଇନି। କୋଚିଂ ସେଣ୍ଟରର କୌଣସି ସଦସ୍ୟଙ୍କୁ ମଧ୍ୟ ସେମାନେ ଡାକ୍ତରଖାନାରେ ଦେଖିବାକୁ ପାଇନଥିବା ନେଇ ଅଭିଯୋଗ କରିଛନ୍ତି l