
ଆସିଲା ସିଡିଆର ରିପୋର୍ଟ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲା ଅନେକ ପ୍ରଶ୍ନ ଘେରରେ ଥିବା ବେଳେ ଆଉ ଏକ ପାଦ ଆଗକୁ ବଢିଛି ପୋଲିସ୍ । ମୃତକ ଶୁଭଲକ୍ଷ୍ମୀଙ୍କ ମୋବାଇଲର କଲ୍ ଡିଟେଲ୍ ରେକର୍ଡ(CDR) ପୋଲିସ୍ ର ହସ୍ତଗତ ହୋଇଛି । ଏହା ପରେ ଏହି ମାମଲାରେ କିଛି କଥା ବାହାରକୁ ଆସିପାରେ ବୋଲି ଆଶା କରାଯାଉଛି । ସିଡିଅର କୁ ନେଇ ପୋଲିସ୍ ତର୍ଜମା କରିବ । ଏଥିରେ ଶୁଭଲକ୍ଷ୍ମୀଙ୍କ ମୋବାଇଲର ଗତ ଦୁଇ ମାସର କଲ୍ ରେକର୍ଡ ରହିଛି । ଗତ ଦୁଇ ମାସ ମଧ୍ୟରେ ତାଙ୍କର କାହା ସହ କଥାବର୍ତ୍ତା ହୋଇଥିଲା, କେଉଁ ସନ୍ଦିଗ୍ଧ ନମ୍ବରରୁ କଲ୍ ଆସିଥିଲା କି, ମୃତ୍ୟୁ ଦିନ ସେ ଶେଷ ଥର ପାଇଁ କାହା ସହ କଥା ହୋଇଥଲେ, ଏ ସବୁ ପ୍ରଶ୍ନ ଉପରୁ ପରଦା ହଟାଇବ ପୋଲିସ୍ । ତେବେ ଅନ୍ୟପଟେ ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଛେଦ ରିପୋର୍ଟ ଆଧାରରେ ତାଙ୍କର ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ୨୪ ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିବା କଥା ରିପୋର୍ଟରେ ଉଲ୍ଲେଖ ହୋଇଥିଲା । ଏପରିକି ତାଙ୍କ ଶରୀରରେ ନିଶା ଦ୍ରବ୍ୟର ନମୁନା ମଧ୍ୟ ମିଳିଥିଲା । ତେବେ ତାଙ୍କୁ କିଏ ନିଶା ଦେଇଥିଲା, କେହି ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି ନା ନିଜେ ଆତ୍ମହତ୍ୟା କରିଛନ୍ତି ଏବେ ସେ ନେଇ ଖୋଳତାଡ଼ କରୁଛି ଲକ୍ଷ୍ମୀସାଗର ପୋଲିସ୍ । ଅପରପକ୍ଷରେ ହୋଟେଲ କର୍ମଚାରୀଙ୍କ ବୟାନ ଓ ଶବ ବ୍ୟବଛେଦ ରିପୋର୍ଟରେ ତାଳମେଳ ଖାଉନାହିଁ । ଏପରିକି ଶୁଭଲକ୍ଷ୍ମୀ ରାତି ଅଧରେ ନୁହଁ ବରଂ ଅପରାହ୍ନରେ ହୋଟେଲରେ ଚେକ୍ ଇନ୍ କରିଥିବା ଜଣାପଡ଼ିଛି । ଏହା ପରେ ହୋଟେଲ କର୍ମଚାରୀଙ୍କ ବୟାନକୁ ନେଇ ପୋଲିସ ର ସନ୍ଦେହ ବଢିବାରେ ଲାଗିଛି। ହୋଟେଲ ରେଜିଷ୍ଟରର ଟାଇମ୍ ଏବଂ ସିସିଟିଭି ଫୁଟେଜରେ ଏପଟସେପଟ କରାଯାଇଥିବା ସନ୍ଦେହ କରୁଛି ପୋଲିସ୍ l ସେପଟେ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁଙ୍କୁ ସୋମବାର ଦିନ ଥାନାକୁ ଡାକି ପଚରାଉଚରା

କରିଛି ଲକ୍ଷ୍ମୀସାଗର ପୋଲିସ । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ପୁରୁଷ ବନ୍ଧୁକୁ ଜେରା କରିଛି ପୋଲିସ । ଏହାସହ ଯୁବକଙ୍କର ବୟାନ ରେକର୍ଡ ମଧ୍ୟ କରାଯାଇଛି । ପୋଲିସ ଘଟଣାରେ ଛାନ୍ଭିନ୍ ଜାରି ରଖିଛି । ସେପଟେ ଗଣମାଧ୍ୟମକୁ ବୟାନ ଦେଇ ଶୁଭଲକ୍ଷ୍ମୀଙ୍କ ମା କହିଛନ୍ତି ସେ ୩ ତାରିଖ ନୁହଁ ବରଂ ୩୦ ତାରିଖରେ ଭୁବନେଶ୍ୱର ଆସିଥିଲେ । ସେ ପୁରୁଷ ବନ୍ଧୁ ଅନୀଲଙ୍କ ସହ ରହୁଥିଲେ । ସଞ୍ଜୟଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ବି ଜାଣିଥିଲେ ଶୁଭଲକ୍ଷ୍ମୀଙ୍କ ମା । କିନ୍ତୁ ଭଡ଼ାଘରେ ନାଁ ହୋଟଲରେ କେଉଁଠି ରହୁଥିଲେ ଏ ନେଇ ସେମାନେ କିଛି ଜାଣିନଥିବା କହିଛନ୍ତି ଶୁଭଲକ୍ଷ୍ମୀଙ୍କ ମା । ତେବେ ବର୍ଷେ ଧରି ଭୁବନେଶ୍ୱରରେ ରହି ପଢୁ ଥିଲେ ମଧ୍ୟ ସେ କେଉଁଠି ରହୁଥିଲେ ପରିବାର ଲୋକେ କିଭଳି ଜାଣି ନଥିଲେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଶୁଭଲକ୍ଷ୍ମୀଙ୍କ ସାଙ୍ଗଙ୍କୁ ପଚରାଉଚରା ମଧ୍ୟ କରିବ ପୋଲିସ । ତେବେ ପୋଲିସର ଯାଞ୍ଚ ଜରିଥିବା ବେଳେ ଖୁବ ଶୀଘ୍ର ଏସବୁ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି l