
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପଞ୍ଚାୟତ ସ୍ତରର ବିକାଶ ନିମନ୍ତେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟ କ୍ୟାବିନେଟରେ ଅଧ୍ୟକ୍ଷତା କରି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନାମକ ଏକ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନା କାର୍ଯ୍ୟକାରିତା ପାଇଁ ଗାଇଡଲାଇନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିବ ସ୍ୱତନ୍ତ୍ର ଅନୁଦାନ ଯାହାକି ପଞ୍ଚାୟତର ବିକାଶ ଦିଗରେ ସହାୟକ ହେବ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୪ ରେ ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇବେ । ମୋଟ୍ ରେ ଏହି ଯୋଜନା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ୪ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପଞ୍ଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କର ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗକୁ ପଠାଯିବ । ସେହିପରି ବିଦ୍ୟୁତ ବିତରଣ ଭିତ୍ତିଭୂମି ସୁଦୃଢ ସହ ପୁରୁଣା ଓ କ୍ଷତିଗ୍ରସ୍ତ ବିଦ୍ୟୁତ ତାର ପରିବର୍ତ୍ତନ, ନୂତନ ୩୩ କେଭି ଓ ୧୧ କେଭି ଲାଇନ ନିର୍ମାଣ ପାଇଁ ୩୮୪୩ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି। ଏହା ସହିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ମାଗଣା ଜମି ପ୍ରଦାନକୁ ଅନୁମୋଦନ ମିଳିଛି । ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ 5 ଏକର ଜମି। କେନ୍ଦ୍ରାପଡ଼ାର ଖରସ୍ରୋତାରେ ନୂଆବଜାର ଓ ବାଲିତରା ଘାଟ ମଧ୍ୟରେ ହେବାକୁ ଥିବା ପୋଲକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦିଆଯାଇଛି । ଏହି ବାବଦରେ ଖର୍ଚ୍ଚ ହେବ ୯୭ କୋଟି ୨୪ ଲକ୍ଷ ଟଙ୍କା । ଏପରିକି ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ । ଏହା କୁଇ ଭାଷା ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତ୍ତି 7 ଲକ୍ଷରୁ ଅଧିକ କୁଇ ଭାଷାଭାଷୀ ଜନଜାତି ଙ୍କ ପାଇଁ ଏକ ବୋହୁତ ବଡ଼ ଖୁସିର ଖବର । ରାଜ୍ୟ ସରକାରଙ୍କର ଏହି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଯୋଗୁଁ ରାଜ୍ୟର ବୋହୁ ସମସ୍ୟାର ସମାଧାନ ହେବା ସହ ଅନେକ ଲୋକ ଉପକୃତ ହୋଇପାରିବେ ।