ମିଲେଟ ମିଶନ ନିମନ୍ତେ ଓଡ଼ିଶାରେ ହେବ ଆନ୍ତର୍ଜାତିୟ ସମ୍ମିଳନୀ ପୁଷ୍ଟି ଶସ୍ୟ ମିଲେଟ୍ର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଲେଟ୍ ସମ୍ବନ୍ଧୀୟ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରାଯାଉଛି । ମିଳିତ ଜାତିସଂଘ ପକ୍ଷରୁ ଚଳିତ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରିଛନ୍ତି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନଭେମ୍ବର ୯ ଓ ୧୦ ତାରିଖରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ପ୍ରତିବର୍ଷ ନମ୍ଭେମ୍ବର ୧୦ ତାରିଖକୁ “ମାଣ୍ଡିଆ ଦିବସ’’ ଭାବରେ ପାଳନ କରୁଛି । ଆନ୍ତର୍ଜାତିକ ସମ୍ମିଳନୀ ପାଳନ ନିମନ୍ତେ ଗତକାଲି କୃଷି ଭବନଠାରେ ସାଙ୍ଗଠନିକ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମିଲେଟ୍ ରିସର୍ଚ, ଖାଦ୍ୟ ଓ କୃଷି ସଂଗଠନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ, ଏସ୍ସିଏସ୍ଟିଆର୍ଟିଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକର ସହଯୋଗରେ ସମ୍ମିଳନୀର ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ମିଲେଟ୍ ମିଶନର ନେତୃତ୍ୱରେ ଓ ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ରୀୟ ସଂସ୍ଥା, ବେସରକାରୀ ଅଂଶୀଦାର, କୃଷକ, କୃଷକ ଉତ୍ପାଦକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗବେଷଣା ପ୍ରତିଷ୍ଠାନ ଏବଂ ସ୍ଵେଚ୍ଛାସେବୀ ସଂଗଠନମାନଙ୍କ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯିବ । ଏହି ଅବସରରେ ବିଭିନ୍ନ ଆଲୋଚନାଚକ୍ର, ଉଦ୍ୟୋଗୀ ଓ ବ୍ୟବସାୟୀକ ସଂସ୍ଥାର ବୈଠକ, ପ୍ରଦର୍ଶନୀ ମଣ୍ଡପ, କୃଷି ଯାନ୍ତ୍ରିକୀକରଣ ଷ୍ଟଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହଯୋଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍, ପ୍ରବନ୍ଧ ଲିଖନ ଓ ଏକ୍ସଟେମ୍ପୋର, ଆନ୍ତର୍ଜାତିକ ଖାଦ୍ୟ ମହୋତ୍ସବ ଏବଂ ରନ୍ଧନ ପ୍ରତିଯୋଗିତା ଆଦିର ଆୟୋଜନ ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ମିଶନଶକ୍ତି ବିଭାଗ ଦ୍ୱାରା ମିଲେଟ୍ ଆଧାରିତ ଉଦ୍ୟୋଗରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଫଳତା ଓ ଆହ୍ୱାନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯିବ । ଏଥିସହିତ ବିଲ୍ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମାଧ୍ୟମରେ ମାଣ୍ଡିଆ ଉପରେ ବିକଶିତ ହେଉଥିବା ପ୍ରଯୁକ୍ତିବିଦ୍ୟା ଉପରେ ଏକ ସ୍ୱତନ୍ତ୍ର ଅଧିବେସନର ମଧ୍ୟ ଆୟୋଜନ କରାଯିବ । ସମ୍ମିଳନୀରେ ମିଲେଟ୍, ଜଳବାୟୁ ପରିବର୍ତ୍ତନ, ନିରନ୍ତର ଓ ପୁନଃଉତ୍ପାଦନଶୀଳ କୃଷିକୁ କେନ୍ଦ୍ର କରି ଏକ ଚଳଚିତ୍ର ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ । ନାଗରିକ ସମାଜ, ସଂରକ୍ଷକ କୃଷକ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହଯୋଗରେ କ୍ରମଶଃ ଅପସରି ଯାଉଥିବା ଫସଲ ଏବଂ ଜନଜାତି ସଂସ୍କୃତି ଉପରେ ଏକ ସ୍ୱତନ୍ତ୍ର ଅଧିବେସନ ଆୟୋଜନ କରାଯିବ । ଏଥିସହ ସହରାଞ୍ଚଳର ଅଙ୍ଗନବାଡ଼ି କର୍ମୀ ଏବଂ ଆବାସୀ ସମିତିଙ୍କ ସହିତ ମିଲେଟ୍ ମା’ମାନଙ୍କ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବା ପାଇଁ ଡ. ପାଢ଼ୀ କହିଥିଲେl ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଲେ ଯେ ମିଲେଟର ପ୍ରସାର ଦିଗରେ ପ୍ରତ୍ୟେକ ଅଂଶୀଦାରମାନେ ଯେପରି ଉଚିତ୍ ଦୃଷ୍ଟି ପାଇବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ବୈଠକରେ ଓଡ଼ିଶା ମିଲେଟର ବିଶେଷଜ୍ଞ ଶ୍ରୀ ଶୈଳେନ୍ଦ୍ର ମହାନ୍ତି କହିଲେ ଯେ ଏହି ସମ୍ମିଳନୀର କାର୍ଯ୍ୟସୂଚୀ ଅନୁଯାୟୀ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଉଛି । ଯନ୍ତ୍ରପାତି ଏବଂ ପ୍ୟାକେଜ ଉଦ୍ୟୋଗ ଆଧାରିତ ପ୍ରଦର୍ଶନୀ ନିମନ୍ତେ ଆୟୋଜନ କରାଯିବ । ଆଇଆଇଏମ୍ଆର୍ର ବରିଷ୍ଠ ବୈଜ୍ଞାନିକ ଡ. ଶ୍ରୀନିବାସ ରାଜୁ କହିଛନ୍ତି ଯେ ସମ୍ମିଳନୀର ସଫଳ ଆୟୋଜନ ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନକରାଯିବ । ଏହି ଅବସରରେ ଓଡ଼ିଶା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ସହଯୋଗରେ ଏକ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ଆୟୋଜନ କରାଯିବ । ଏଥିସହିତ “ଗାଁ ଇତିହାସ’’ ଓ ବକୁଳ ଫାଉଣ୍ଡେସନ ଦ୍ୱାରା ‘କାହାଣୀ କହିବା’ ପରି ଅଭିନବ କାର୍ଯ୍ୟକ୍ରମ ସମ୍ମିଳନୀର ଅଂଶବିଶେଷ ହେବ । ଏହି ଅବସରରେ ଶିଳ୍ପୋଦ୍ୟୋଗୀମାନଙ୍କର ରାଉଣ୍ଡଟେବୁଲ ବୈଠକ ଆୟୋଜନ କରାଯିବି । ଏଥିସହିତ ରୋଡ- ଶୋର ଆୟୋଜନ କରାଯିବ ଯେପରି ଆଗ୍ରହୀ କମ୍ପାନୀମାନେ ଚିହ୍ନଟ ହୋଇ ସମ୍ମିଳନୀକୁ ଆମନ୍ତ୍ରଣ କରାଯାଇ ପାରିବ । ଏଥିସହିତ ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ନିଉଟି୍ର ହବ୍ର ସହଯୋଗିତାରେ ଷ୍ଟର୍ଟଅପ୍ର ବିଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋଚନା କରାଯିବ । ମିଶନଶକ୍ତି ବିଭାଗ ପକ୍ଷରୁ ମେକ୍-ଇନ୍-ଓଡ଼ିଶା ଆଧାରରେ ଏହି ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଅଂଶଗ୍ରହଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିସହିତ ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ରପ୍ତାନୀକାରୀଙ୍କ ମଧ୍ୟରେ ଆଲୋଚନାଚକ୍ରର ଆୟୋଜନ କରାଯିବ । ମିଲେଟ୍ର ମୂଲ୍ୟ ଶୃଙ୍ଖଳ ଏବଂ ଉଦ୍ୟୋଗୀମାନଙ୍କ ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର ଅନୁଭୂତି ଏବଂ ବିଶେଷଜ୍ଞମାନଙ୍କର ପ୍ରତିକି୍ରୟା ଉପରେ ସମ୍ମିଳନୀରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ ମୁଦ୍ରଣ, ବୈଦୁ୍ୟତିକ ଏବଂ ସାମାଜିକ ଗଣମାଧ୍ୟମ କାର୍ଯ୍ୟକ୍ରମ ସହ ହୋର୍ଡିଂ ଆଦି ମାଧ୍ୟମରେ ଆନ୍ତର୍ଜାତୀୟ ସମ୍ମିଳନୀର ବ୍ୟାପକ ପ୍ରଚାର ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ମିଲେଟ ମିଶନ ନିମନ୍ତେ ଓଡ଼ିଶାରେ ହେବ ଆନ୍ତର୍ଜାତିୟ ସମ୍ମିଳନୀ
