Site icon UTKAL PRATIDIN

ମଣିପୁର ଗସ୍ତ କରିବେ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ

photo_6206377487211017580_y

ଆଜି ମଣିପୁର ଗସ୍ତ କରିବେ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ ଚଳିତ ବର୍ଷ ମେ’ ମାସ ୩ ତାରିଖରୁ ମଣିପୁରରେ ଜାତିଗତ ହିଂସା ଲାଗି ରହିଛି । କୁକୀ ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ପାଖାପାଖି ୩ ମାସ ହେବ ଚାଲିଆସୁଛି l ହେଲେ ଏହି ହିଂସାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି । ଏହାରି ମଧ୍ୟରେ ମଣିପୁରରେ ଜଣେ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବାର ଭିଡିଓ ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ମଣିପୁରକୁ ନେଇ ସରଗରମ ହେଉଛି । ମଣିପୁର ପ୍ରସଙ୍ଗରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ବିରୋଧୀଙ୍କ ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି । ଏସବୁ ଭିତରେ ମଣିପୁରର ସ୍ଥିତି ବୁଝିବାକୁ ଆଜି ‘ଇଣ୍ଡିଆ’ ମେଣ୍ଟର ସାଂସଦମାନେ ମଣିପୁର ଗସ୍ତ କରିବେ l ଏଥିରେ ୧୬ ଦଳର ୨୦ ଜଣ ସାଂସଦ ଯାଉଥିବା ନେଇ ସୂଚନା ରହିଛି l ଏନେଇ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ମଣିପୁର ଗସ୍ତ କରିବାକୁ ଥିବା ସାଂସଦମାନଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ଏହି ସାଂସଦମାନେ ୨୯ ତାରିଖ ଓ ୩୦ ତାରିଖ ଦୁଇଦିନ ଧରି ମଣିପୁରର ହିଂସାଗ୍ରସ୍ତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା ବାବଦରେ ବୁଝିବେ। ମଣିପୁର ଗସ୍ତ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ଗସ୍ତ କରୁଥିବା ନେତା ମାନେ ହେଲେ ଅଧୀର ରଞ୍ଜନ ଚୌଧୁରୀ (କଂଗ୍ରେସ), ଗୌରବ ଗୋଗୋଇ (କଂଗ୍ରେସ), ରାଜୀବ ରଞ୍ଜନ ସିଂ (ଜେଡିୟୁ), ସୁସ୍ମିତା ଦେବ (ଟିଏମସି), କାନିମୋଝୀ କରୁଣାନିଧୀ (ଡିଏମକେ), ସନ୍ଦୋଶ କୁମାର ପି (ସିପିଆଇ), ଏ.ଏ ରହିମ୍ (ସିପିଆଇଏମ୍), ମନୋଜ କୁମାର ଝା (ଆରଜେଡି), ଜାଭେଦ ଅଲ୍ଲୀ ଖାନ (ସମାଜବାଦୀ ପାର୍ଟି), ମହୁଆ ମାଞ୍ଝୀ (ଜେଏମଏମ), ପିପି ମହମ୍ମଦ ଫୈଜଲ (ଏନସିପି), ଅନୀଲ ପ୍ରସାଦ ହେଗଡେ (ଜେଡିୟୁ), ଇଟି ମହମ୍ମଦ ବସିର (ଆଇୟୁଏମଏଲ), ଏନକେ ପ୍ରେମଚନ୍ଦ୍ରନ (ଆରଏସପି), ସୁଶିଲ ଗୁପ୍ତା (ଆପ୍), ଅରବିନ୍ଦ ସାୱନ୍ତ (ଶିବସେନା), ଡି. ରବିକୁମାର (ଭିସିକେ), ଜୟନ୍ତ ସିଂ (ଆରଏଲଡି) ଏବଂ ଫୁଲୋଦେବୀ ନେଟାମ (କଂଗ୍ରେସ) l ଗସ୍ତ ପୂର୍ବରୁ କଂଗ୍ରେସ ସାଂସଦ ନସୀର ହୁସେନ କହିଛନ୍ତି କି ‘ଇଣ୍ଡିଆ’ ମେଣ୍ଟର ଡେଲିଗେସନ ମାନେ ମଣିପୁରର ପାହାଡୀ ଓ ଘାଟୀ ଅଞ୍ଚଳ ପରିଦର୍ଶନ କରିବେ । ଆମେ ସମସ୍ତେ ମଣିପୁରବାସୀଙ୍କ ସହିତ ଅଛୁ ଓ ଶାନ୍ତି ଫେରାଇ ଆଣିବାକୁ ନିଜ କ୍ଷମତା ମୁତାବକ ସବୁକିଛି କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ନସୀର ହୁସେନ କହିଛନ୍ତି । ତାଙ୍କର ଏହି ବାର୍ତ୍ତା ମଣିପୁରବାସୀଙ୍କୁ ସ୍ୱଳ୍ପକେ ଆଶ୍ବସ୍ତି ପ୍ରଦାନ କରିଥିବା ଆଶା କରାଯାଉଛି l କାରଣ ମଣିପୁରର ଦୁଇ ସମୁଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏପର୍ଯ୍ୟନ୍ତ ଦେଢ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ୧୦୦ରୁ ଅଧିକ ଲୋକ ଘର ଛାଡି ସାରିଲେଣି । ତେଣୁ ବିରୋଧୀ ମେଣ୍ଟର ଏହି ସ୍ଥିତି ଅନୁଧ୍ୟାନ ପରେ ମଣିପୁରର ପରିସ୍ଥିତିରେ ପରିବର୍ତନ ଆସୁ ବୋଲି ପୁରା ଦେଶ ପ୍ରାର୍ଥନା କରୁଛି l

Exit mobile version