
ଟଙ୍କପାଣି ରୋଡରେ ଥିବା ଗ୍ରାଣ୍ଡ କନଭେନସନ୍ ସେଣ୍ଟରରେ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୧୦ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଥିଲେ ୧୭ଟି ଦଳର ହଜାରେରୁ ଅଧିକ ସଂଖ୍ୟକ ଲୋକ । ଜୁଲାଇ ୨୬ରେ କଂଗ୍ରେସ ଆହ୍ୱାନରେ ୧୭ଟି ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳ ଦ୍ୱିତୀୟଥର ପାଇଁ ଏକାଠି ହୋଇଥିଲେ। ଆଜିର ଏହି ବୈଠକରେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ପରିବର୍ତ୍ତନ କରିବାକୁ ଯୋଜନା ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବା ନେଇ ସୂଚନା ରହିଛି । ସେହିପରି ଆଗାମୀ ଦିନରେ ମିଳିତ ମଞ୍ଚ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି ମଧ୍ୟ ଜଣାପଡିଛି l ବୈଠକରେ କଂଗ୍ରେସ, ସିପିଆଇ(ଏମ), ସମତା କ୍ରାନ୍ତି ଦଳ, ସମୃଦ୍ଧ ଓଡ଼ିଶା, ସମାଜବାଦୀ ପାର୍ଟି, ଆରଜେଡ଼ି, ସିପିଆଇ, ସିପିଆଇଏମ୍ଏଲ୍, ଟିଏମସି, ଆପ୍, ଜେଏମଏମ୍ ଆଦି ପ୍ରମୁଖ ଦଳର ନେତାମାନେ ଯୋଗେ ଦେଇଛନ୍ତି । ଏହି ବୈଠକରେ ସବୁ ଦଳର ନେତାମାନେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାର ପରିବର୍ତ୍ତନ କରିବା ବିଷୟରେ ଆଲୋଚନା ହୋଇଛି । ସେହିପରି ଦାଦନ ପ୍ରସଙ୍ଗ, ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦରଦମ ବୃଦ୍ଧି, ବିଜୁଳି ସଙ୍କଟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, କୃଷକର ଅର୍ଥନୈତିକ ସ୍ଥିତି ପ୍ରସଙ୍ଗରେ କିଭଳି ସରକାରଙ୍କୁ ଘେରାଯିବ ସେନେଇ ଦଳର ନେତାମାନେ ଆଲୋଚନା କରିଛନ୍ତି ।