
ଯାଜପୁର : ପୁଣି ଘଟିଛି ଏକ ବସ୍ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟି ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ନିକଟ ଅତୀତରେ ଅନେକ ଏପରି ବସ୍ ଦୁର୍ଘଟଣା ଦେଖିବାକୁ ମିଳିଥିବାବେଳେ ଗତକାଲି ସନ୍ଧ୍ୟା ସମୟରେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକ ନିକଟରେ ଘଟିଛି ଆଉ ଏକ ଦୁର୍ଘଟଣା । ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ସମ୍ଭାଳି ନପାରି ଯାତ୍ରୀବାହୀ ବସ୍ଟି ଓଲଟି ପଡ଼ିଥିବା ନେଇ କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ।
ବସ୍ ଟି ପାଣିକୋଇଲିରୁ ଯାଜପୁର ରୋଡ ଦେଇ କରଞ୍ଜିଆ ଯାଉଥିଲା । ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ବସ୍ ଟି ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିବା ପରେ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଖବର ପାଇ କଳିଙ୍ଗନଗର ଏଡିଏମ୍ ଓ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିଥିଲେ । ଆହତମାନଙ୍କୁ ପ୍ରଥମେ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିଲା । ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଖୁବ୍ ସଙ୍ଗୀନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ୧୪ ଜଣଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣା ପଡ଼ିଛି ।