Site icon UTKAL PRATIDIN

ବର୍ଷିବ ନିଆଁ !

3

ଦିନ କୁ ଦିନ ରାଜ୍ୟରେ ଖରା ତାତି ବଢିବାରେ ଲାଗିଛି । ଏହାକୁ ନେଇ ଜୀବ ଜଗତ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଆଜି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ଏସ୍‌ଓପି ଜାରି କରିଛନ୍ତି । ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଖରା ତାତି ଅତ୍ୟଧିକ ବଢୁଥିବାରୁ ଏନେଇ ଲୋକଙ୍କୁ ଖୁବ୍ ସଚେତନ କରିବାକୁ କୁହାଯାଇଛି । ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ କ’ଣ କରିବା ଦରକାର ସେନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି । ଯେଉଁ ଗାଁରେ ଜଳସଙ୍କଟ ଅଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ କରିବାକୁ କୁହାଯାଇଛି ।

ଖରାପ ନଳକୂପକୁ ମରାମତି କରିବା, କେନାଲରେ ପାଣି ଛାଡ଼ିବା, ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ କୁହାଯାଇଛି । ସେହିପରି ସ୍କୁଲ, କଲେଜ ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା, ଓଆର୍ଏସ୍ ରଖିବା, ପଡ଼ିଆରେ ଖେଳକୁଦ ବନ୍ଦ କରିବା, ସ୍କୁଲରେ ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସଚେତନ କରିବା, କେବଳ ସକାଳ ସମୟରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ କୁହାଯାଇଛି । ଏହାସହ ସମସ୍ତ ପିଏଚ୍‌ସି, ସିଏଚ୍‌ସି, ସବ୍‌ଡିଭିଜନ, ଜିଲ୍ଲା ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍‌, ଓଆର୍ଏସ୍ ରଖାଯିବ । ଅଂଶୁଘାତ ୱାର୍ଡ ଖୋଲିବ, ସମସ୍ତ ଯାତ୍ରୀବାହୀ ବସ୍‌ରେ ପାଣି, ଓଆର୍ଏସ୍ ରଖିବା, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେନି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଯେଉଁଠି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିବ ସେଠାରେ ତହସିଲଦାର/ଅତରିକ୍ତ ତହସିଲଦାର କିମ୍ବା ରାଜସ୍ୱ ଅଧିକାରୀଙ୍କ ସହ ସିଡିଏମ୍‌ଓ/ଏସ୍‌ଡିଏମ୍‌ଓ ଏହାର ତଦନ୍ତ କରି ରିପୋର୍ଟ ଦେବେ । ଅଂଶୁଘାତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯିବ । ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଜିଲ୍ଲାସ୍ତରରେ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିବାକୁ କୁହାଯାଇଛି ।

Exit mobile version