
ପ୍ରାଥମିକ ସ୍କୁଲ୍ର ଚିତ୍ର ବଦଳିବ ଓ ଶ୍ରେଣୀର ପରିବେଶକୁ ଆକର୍ଷଣୀୟ କରାଯିବ । ସୁଲଭମୟ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ସ୍କୁଲ କାନ୍ଥରେ ଚିତ୍ର କରାଯିବ l ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନୀ ବୋର୍ଡ, ଶୈକ୍ଷିକ ଉପକରଣ ଶ୍ରେଣୀଗୃହ ରେ ଟଙ୍ଗା ହବା ପାଇଁ ହୁକ୍ ରହିବ । ପିଲାମାନେ ଦରିରେ ବସି ରଙ୍ଗୀନ ଡେକ୍ସରେ ଲେଖିବେ । ଶ୍ରେଣୀଗୃହରେ ଆବଶ୍ୟକ ମରାମତି ସହ ବିଦ୍ୟୁତୀକରଣ ଓ ଆଲୋକୀକରଣ ମଧ୍ୟ କରାଯିବ l ଶିକ୍ଷା ପାଇଁ ସମସ୍ତ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା କରାଯିବ । ଏହାଦ୍ୱାରା ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ । ଏନେଇ ବିଦ୍ୟାଳୟ ଓ ଶିକ୍ଷା ବିଭାଗ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୬ହଜାରରୁ ଅଧିକ ସ୍କୁଲ୍କୁ ସାମିଲ କରାଯାଇଛି । ସ୍କୁଲ୍ ପିଛାରେ ଖର୍ଚ୍ଚ ହେବ ଦେଢ଼ ଲକ୍ଷ ଟଙ୍କା । ମୋଟ ୯୨କୋଟି ୩୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି । ପର୍ଯ୍ୟାୟକ୍ରମେ ବଳକା ସମସ୍ତ ସ୍କୁଲ୍କୁ ଅନ୍ତର୍ଭୁକ୍ତ କରାଯିବ । ବିଭାଗ ପ୍ରାଥମିକ ଶିକ୍ଷାକେନ୍ଦ୍ର କୁ ଗୁରୁତ୍ୱ ଦେବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି । ଗୁଣାତ୍ମକ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି ପାଇଁ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶକୁ ବଦଳାଇବାର ନିଷ୍ପତି ନିଁଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତି ନେଇଛନ୍ତି ।

ଚିତ୍ତାକର୍ଷଣ ଶିକ୍ଷଣ ସାମଗ୍ରୀ (ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ), ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀର ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି । ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ, ଆଗ୍ରହ ଓ କୌତୁହଳ ସୃଷ୍ଟି ପାଇଁ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି l ରୂପାନ୍ତରଣ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ରାଜଭବନର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଥିଲା । ଏହି ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଶ୍ରେଣୀଗୃହକୁ ବିକାଶିତ କରାଯାଇଛି । ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି । ଏହି ବିଦ୍ୟାଳୟ ରେ ସମସ୍ତ ସୁବିଧା ସୁଯୋଗ ପରେ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍କଣ୍ଠା ଶୈକ୍ଷିକ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାଥମିକ ଭାବେ ୧୬ ଜିଲ୍ଲାରେ ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ବରିଷ୍ଠ ଶିକ୍ଷକଙ୍କ ସହ ଜଣେ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଖୁବ୍ଶୀଘ୍ର ଅନ୍ୟ ସମସ୍ତ ଶିକ୍ଷକଙ୍କ ପ୍ରଶିକ୍ଷଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବରଗଡ଼ ଜିଲ୍ଲାର ୪୧ଟି ସ୍କୁଲ୍, ବଲାଙ୍ଗୀରର ୭୩୩, ଢେଙ୍କାନାଳର ୩୯୭, ଗଜପତିର ୩୨୭, କଳାହାଣ୍ଡିର ୭୯୬, କନ୍ଧମାଳର ୬୫୫, କୋରାପୁଟର ୮୦୧, ମାଲକାନଗିରିର ୪୯୬, ମୟୂରଭଞ୍ଜର ୧୩୩, ନବରଙ୍ଗପୁର ୫୮୯, ନୟାଗଡ଼ର ୪୮, ନୂଆପଡ଼ାର ୨୬୮, ରାୟଗଡ଼ାର ୭୨୮, ସମ୍ବଲପୁରର ୪୮ ଏବଂ ସୁନ୍ଦରଗଡ଼ର ୯୯ଟି ସ୍କୁଲ୍ର ଗୃହ ପରିବେଶ ବଦଳାଯିବ ବୋଲି ଜଣାପଡ଼ିଛି ।