ତୁଟିଲା ବିବାଦ l ପୁଣି ଥରେ ପ୍ରକାଶ ପାଇବ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୁସ୍ତକ । ଏନେଇ ଅଦଲାତ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିସାରିଛି । ବିବାଦ ଯୋଗୁଁ ୨୦୧୪ରୁ ସ୍ଥଗିତ ରହିଥିବା ‘ଛବିଳ ମଧୁ ବର୍ଣ୍ଣବୋଧ’ ପୁସ୍ତକ ପୁଣି ଏବେ ପ୍ରକାଶ କରାଯିବ l
ତେବେ ଏହି ‘ଛବିଳ ମଧୁ ବର୍ଣ୍ଣବୋଧ’ ପୁସ୍ତକ ପ୍ରକାଶନ ଦାୟିତ୍ବ ପୁଣିଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦିଆଯାଇଛି । ପ୍ରାଥମିକ ବିଦ୍ୟାଳୟ ସହ ବିଚ୍ଛିନ୍ନାଞ୍ଚଳରେ ଏହାକୁ ବଣ୍ଟନ କରାଯିବ । ଛାତ୍ରଛାତ୍ରୀ ପୁଣି ‘ମଧୁ ବର୍ଣ୍ଣବୋଧ’ ପଢିବେ ପୂର୍ବରୁ ଯାହା ସବୁଥିଲା ତାହା ପୁସ୍ତକରେ ସଂକଳିତ କରାଯିବାକୁ ଅଦଲାତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେହି ଆଧାରରେ କାର୍ଯ୍ୟ କରାଯିବ ।
ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ବହି କଟକର ସରକାରୀ ପ୍ରେସରେ ଛପାଯିବ । ମୂଳ ରଚନାକୁ ବାଦ ଦିଆନଯାଇ ଛପା ହେବ । ଏହାର ରୂପରେଖ କିଭଳି ରହିବ ଏ ସମ୍ପର୍କରେ ଏକ କମିଟି ଗଠନ କରାଯିବ । କମିଟି ନିଷ୍ପତ୍ତି ଅନୁସାରେ ପୁସ୍ତକ ଛପାଯିବ । ଭକ୍ତକବି ମଧୁସୂଦନ ରାଓଙ୍କ ଏହି ଅନନ୍ୟ ସୃଷ୍ଟିର ମୂଳ ପ୍ରକାଶନକୁ ବାଦ୍ ଦେଇ ନୂଆ କରି ଛାପା ଯାଇଥିବାରୁ କିଛି ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି ଉଠାଇବା ସହ ମାମଲା ଅଦାଲତରେ ପହଞ୍ଚିଥିଲା l ୨୦୧୪ରୁ ଏନେଇ ବିବାଦ ଲାଗି ରହିଥିଲା । ଏବେ ଏହାର ମୁଦ୍ରଣ ଦାୟିତ୍ବ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦିଆଯିବ ବୋଲି କୋର୍ଟ କହିଛନ୍ତି ।

