ନେପାଳକୁ ହରାଇ ସୁପର ୪ରେ ଭାରତ
ବର୍ଷା ବାଧକ ସତ୍ତ୍ୱେ ବି ନେପାଳ ବିପକ୍ଷ ମ୍ୟାଚରେ ଭାରତର ବିଜୟ ହୋଇଛି । ୧୦ ୱିକେଟରେ ଏହି ମ୍ୟାଚକୁ ଜିତିଛି ଟିମ୍ ଇଣ୍ଡିଆ । ବିଜୟ ସହ ପାକିସ୍ତାନ ପରେ ଗ୍ରୁପ ଏ ରୁ ଦ୍ୱିତୀୟ ଦଳ ଭାବେ ସୁପର୍ ୪ ରାଉଣ୍ଡକୁ ପ୍ରବେଶ ମଧ୍ୟ କରିଛି ଭାରତ । ତେଣୁ ଆସନ୍ତା ରବିବାର ଦିନ ଆଉ ଏକ ଇଣ୍ଡିଆ-ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିବ।
ଚଳିତ ଏସିଆ କପରେ ଗତକାଲି ଦ୍ୱିତୀୟ ମୁକାବିଲାରେ ନେପାଳକୁ ଭେଟିଥିଲା ଭାରତ। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଭଳି ଏହି ମ୍ୟାଚରେ ମଧ୍ୟ ବର୍ଷା ବାଧା ସୃଷ୍ଟି ଲାରିଥିଲା । ପ୍ରଥମେ ବ୍ୟାଟିଂ କରି ନେପାଳ ୪୮.୨ ଓଭରରେ ୨୩୦ ରନ୍ ସଂଗ୍ରହ କରିଥିଲା । ନେପାଳ ବ୍ୟାଟରଙ୍କ ପ୍ରାରମ୍ଭିକ ବ୍ୟାଟିଂ କ୍ରିକେଟ ପ୍ରେମୀଙ୍କ ମନ କିଣି ନେଇଥିଲା । ପ୍ରଥମ କରି ଇଣ୍ଟରନ୍ୟାସନାଲ୍ ପାଳି ଖେଳୁଥିବା ନେପାଳ ପ୍ଲେୟାର ଦମଦାର୍ ପ୍ରଦର୍ଶନ କରିଥିଲେ। ଫଳରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା । ହେଲେ ବର୍ଷା ସାଜିଲା ବାଧକ l
ଦ୍ୱିତୀୟ ପାଳି ବେଳକୁ ବର୍ଷା ହେବାରୁ ପାଖାପାଖି ଦୁଇ ଘଣ୍ଟା ଖେଳ ଅଟକି ଯାଇଥିଲା। ଫଳରେ ଡକ୍ ୱର୍ଥ୍ ଲୁଇସ୍ ନିୟମ ଲାଗୁ କରାଯାଇଥିଲା । ଏହି ନିୟମ ଆଧାରରେ ୨୩ ଓଭରରେ ଭାରତକୁ ୧୪୫ ରନ୍ ସଂଗ୍ରହ କରିବାକୁ ଥିଲା । କ୍ୟାପ୍ଟେନ ରୋହିତ ଶର୍ମା ଓ ଶୁବମନ ଗିଲ୍ ଓପନିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ ଏବଂ ଦୁହେଁ ବିଜୟ ନେଇ ପାଭିଲିୟନରୁ ଫେରିଥିଲେ। ରୋହିତ ଶର୍ମା ୭୪, ଶୁବମନ ଗିଲଙ୍କ ୬୭ ଏବଂ ଅତିରିକ୍ତ ୬ ରନ୍ ବଳରେ ଦଶ ୱିକେଟରେ ଭାରତ ଏରହି ମ୍ୟାଚକୁ ଜିତି ନେଇଥିଲା । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରୋହିତଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ମଧ୍ୟ କରାଯାଇଛି।