ବିହାର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁଖ୍ୟ ଆୟୋଜକ ନୀତିଶ କୁମାରଙ୍କୁ ପୁଣି ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ନିମନ୍ତ୍ରଣ ମିଳିଛି । କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ରାମଦାଶ ଆଠୱଲେ ପାଟନା ପହଞ୍ଚି ନୀତିଶ କୁମାରଙ୍କୁ ନେଇ ଯେଭଳି ବୟାନ ଦେଇଛନ୍ତି ତାହାକୁ ନେଇ ବିହାର ରାଜନୀତି ପୁଣିଥରେ ସରଗରମ ହେବାରେ ଲାଗିଛି। ଶନିବାର ତଥା ଆଜି ପାଟନା ଠାରେ ଆଠୱଲେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଆମେ ନୀତିଶ କୁମାରଙ୍କୁ ଏନଡିଏରେ ସାମିଲ ହେବା ନେଇ ଖୁଲା ନିମନ୍ତ୍ରଣ ଦେଉଛୁ । ଏହାସହ ନୀତିଶ କୁମାରଙ୍କ ସହ ଏନଡିଏର ଏବେ ବି ଭଲ ସଂପର୍କ ଥିବା କଥା ସେ କହିଛନ୍ତି । ଏଣୁ ନୀତିଶ କୁମାର ପୁଣିଥରେ ଏନଡିଏକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । କେବଳ ସେତିକି ନୁହେଁ ଆଠୱଲେ କହିଛନ୍ତ କି ବିରୋଧୀ ମେଣ୍ଟର ତୃତୀୟ ବୈଠକ ଯାହାକି ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସେଠାକୁ ନୀତିଶ କୁମାର ଯିବା ଉଚିତ ନୁହେଁ। ଏହାସହ ବିରୋଧୀ ମେଣ୍ଟର ନାମ ଇଣ୍ଡିଆକୁ ନେଇ ନୀତିଶ କୁମାର ଖୁସି ନଥିବା କଥା ସେ କହିଛନ୍ତି । ଏଣୁ ଏତେ ଅସନ୍ତୋଷ ଭିତରେ ବିରୋଧୀ ମେଣ୍ଟରେ ରହିବା ଅପେକ୍ଷା ନୀତିଶ ପୁଣିଥରେ ଏନଡିଏରେ ସାମିଲ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ସେପଟେ ଆଠୱଲେ ରୋହିଣୀ କମିଟି ଉପରେ ନିଜ ମତ ରଖିଛନ୍ତି । ଏହି ରିପୋର୍ଟ ଉପରେ ସେ କହିଛନ୍ତି କି ବିହାରରେ ଜାତି ଆଧାରରେ ଜନଗଣନା ହେବାର ଆବଶ୍ୟକତା ରହିଛି । ଏଥିରେ ପଛୁଆବର୍ଗଙ୍କ ସହ ସାଧାରଣ ଜାତିର ଲୋକଙ୍କର ବି ଜନଗଣନା ହେବା ଦରକାର । ପଛୁଆବର୍ଗଙ୍କୁ ୩ ଟି ଭାଗରେ ବିଭକ୍ତ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି । ଏହାସହ ମହାରାଷ୍ଟ୍ରରେ ଯେଭଳି ସରକାର ପରିବର୍ତ୍ତନ ହେଲା ସେହିଭଳି ବିହାରରେ ମଧ୍ୟ ସରକାର ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି । ତାଙ୍କର ଏଭଳି କିଛି ମନ୍ତବ୍ୟ ଏବେ ରାଜନୀତିରେ ନୂଆ ଚଞ୍ଚଲ୍ୟ ସୃଷ୍ଟି କରିଛି l
ନୀତିଶ କୁମାରଙ୍କୁ ଏନଡିଏ ର ନିମନ୍ତ୍ରଣ

