ଏବେ ଚନ୍ଦ୍ରଯାନ-୩କୁ ମାଧ୍ୟମ କରି ବିଭିନ୍ନ ସୋସିଆଲ ମିଡିଆରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ମିଛ ପୋଷ୍ଟ୍ କରାଯାଉଛି। ଶତାଧିକ ମିଛ ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ଅନେକ ନେଟିଜେନ ସତ ଭାବେ ଗ୍ରହଣ କରିନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମ୍ରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଫଟୋ ସେୟାରିଂ ଆପ୍ରେ ଅନେକ ନକଲି ଆକାଉଣ୍ଟ୍ ସବୁ ଖୋଲାଯାଇଛି। ଏହି ଆକାଉଣ୍ଟଗୁଡ଼ିକୁ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଆକାଉଣ୍ଟ୍ ବୋଲି ମଧ୍ୟ ଦାବି କରାଯାଇଛି ଏବଂ ଏଥିରେ ଚନ୍ଦ୍ରଯାନ-୩କୁ ନେଇ ଅପଡେଟ୍ ଖବର ସବୁ ଦିଆଯିବ ବୋଲି ଦାବି ହୋଇଛି। କିନ୍ତୁ ପିଆଇବି ପକ୍ଷରୁ ଏହି ଆକାଉଣ୍ଟ୍ଗୁଡ଼ିକ ନକଲି ବୋଲି ପର୍ଦ୍ଦାଫାସ କରାଯାଇଛି। ପିଆଇବି ନିକଟରେ ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ୍ ନେଇ ତଥ୍ୟ ସେୟାର କରିଥିଲା । ଏଥି ମଧ୍ୟରୁ ଗୋଟିଏ ଆକାଉଣ୍ଟ୍ର ୬ ଲକ୍ଷ ଅନୁଗାମୀ ଥିବାବେଳେ ଅନ୍ୟ ଏକ ଆକାଉଣ୍ଟ୍ରେ ୪୩ ହଜାର ଅନୁଗାମୀ ରହିଛନ୍ତି। କିନ୍ତୁ ଏଥି ମଧ୍ୟରୁ କୌଣସି ଗୋଟିଏ ବି ଆକାଉଣ୍ଟ୍ ଇସ୍ରୋ ସହ ଜଡ଼ିତ ନୁହେଁ । ପିଆଇବି ପକ୍ଷରୁ ମଧ ଇସ୍ରୋର ଅଫିସିଆଲ ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ସେୟାର ହୋଇଛି । ଉଲ୍ଲେଖଯୋଗ୍ୟ, ଇସ୍ରୋର ଅଫିସିଆଲ ୱେବସାଇଟ୍ ହେଉଛି ‘https://isro.gov.in’ । ସରକାର ମଧ୍ୟ ଚନ୍ଦ୍ରଯାନ-୩କୁ ନେଇ ନକଲି ସୋସିଆଲ ମିଡିଆ ଆକାଉଣ୍ଟ୍ ପ୍ରତି ସତର୍କ ରହିବାପାଇଁ ସଚେତନ କରିଛନ୍ତି । ସର୍ବଦା ଉଚିତ ତଥ୍ୟ ନିମନ୍ତେ ଅଫିସିଆଲ ୱେବ୍ସାଇଟ ହିଁ ବ୍ୟବହାର କରିବାକୁ ଅନୁରୋଧ l