UTKAL PRATIDIN

ଦିଲ୍ଲୀ ଅଧ୍ୟାଦେଶ ବିଲ୍ ରାଜ୍ୟସଭାରେ ପାରିତ ହେଲା

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ଗୃହୀତ ହୋଇଯାଇଛି ।  ବିଲକୁ କଂଗ୍ରେସ, ଆପ ଓ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଥିଲେ । ବିଲ୍ ସପକ୍ଷରେ ୧୩୧ ଓ ବିପକ୍ଷରେ ୧୦୧ ଭୋଟ ପଡ଼ିଥିଲା । ଏହା ଗତ ଗୁରୁବାର ଲୋକସଭାରେ ଗୃହୀତ ହୋଇଥିଲା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ରାଜ୍ୟସଭାରେ ଏହି ବିଲକୁ ଆଗତ କରିଥିଲେ । ଏହାକୁ ନେଇ ଦିନତମାମ ବିତର୍କ ଓ ଆଲୋଚନା ପରେ ସଂଧ୍ୟାରେ ଅମିତ ଶାହା ଜବାବ ଦେବାକୁ ଆସିଥିଲେ। ସେ କହିଛନ୍ତି ଯେ ଦିଲ୍ଲୀ ସେବା ବିଲ୍ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ କୌଣସି ପ୍ରକାରେ ଉଲ୍ଲଂଘନ କରୁନାହିଁ। ଏହି ବିଲ୍ ର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀରେ ସୁରୁଖୁରୁରେ ଓ ଦୁର୍ନୀତିମୁକ୍ତ ଶାସନ ସୁନିଶ୍ଚିତ କରିବା। ଏହି ବିଲରେ ଏପରି କୌଣସି ବ୍ୟବସ୍ଥା ନାହିଁ ଯାହାକି ପୂର୍ବରୁ ଚଳିଆସିଥିବା ବ୍ୟବସ୍ଥାରେ ଟିକିଏ ବି ପରିବର୍ତ୍ତନ କରିବ ।

କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ଗଣତନ୍ତ୍ର ଉପରେ ଭାଷଣ ଦେବାର ଅଧିକାର କଂଗ୍ରେସର ନାହିଁ । କଂଗ୍ରେସ ହିଁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ବିରୋଧ କରିଆସିଥିଲା ଓ ଦିଲ୍ଲୀର ଅଧିକାରକୁ ସଂକୁଚିତ କରିଥିଲା । କିନ୍ତୁ ଏବେ ଆପକୁ ଖୁସି କରିବାକୁ କଂଗ୍ରେସ ଏହି ବିଲକୁ ବିରୋଧ କରୁଛି ।

ସୁପ୍ରିମ୍ କୋର୍ଟ କେନ୍ଦ୍ରକୁ ପୁଲିସ ଓ ଜନଶୃଙ୍ଖଳା ଉପରେ କାମ କରିବାର ଅଧିକାର ଦେଇଛନ୍ତି। ଏଥିରେ ରାଜ୍ୟକୁ ସେବା ର ଅଧିକାର ଦିଆଯିବ ବୋଲି କୁହାଯାଇଛି। ଯେକୌଣସି ବିଷୟରେ ଆଇନ ପ୍ରଣୟନ କରିବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସମ୍ବିଧାନ ମଧ୍ୟ କହୁଛି ଯେ କୌଣସି ବିଷୟରେ ଆଇନ ପ୍ରଣୟନ କରିବାର ଅଧିକାର କେନ୍ଦ୍ରର ରହିଛି। ଏଥିମଧ୍ୟରୁ ଯେକୌଣସି ସ୍ଥାନରେ ସେବା ମଧ୍ୟ ଆସିଥାଏ। ସମ୍ବିଧାନରେ ସଂଶୋଧନ କରିବାର ଅଧିକାର ସଂସଦର ରହିଛି।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ସମୟରେ ଏନଡିଏ ସାଂସଦମାନେ ‘ମୋଦି-ମୋଦି’ ସ୍ଲୋଗାନ ଦେଇଥିଲେ। ଏହାର ଜବାବରେ ବିରୋଧୀ ମେଣ୍ଟର ନେତାମାନେ ‘ଭାରତ-ଭାରତ’ କହିବା ଆରମ୍ଭ କରିଥିଲେ।

Exit mobile version