
ଆଗ୍ରା: ବିଶ୍ଵର ସପ୍ତ ତାରକା ମଧ୍ୟରୁ ତାଜମହଲ ଅନ୍ୟତମ। କିଏ କହେ ଏହା ପ୍ରେମର ପ୍ରତୀକ ତ ପୁଣି କିଏ କହେ ଏହା ଐତିହ୍ୟର ସ୍ମାରକୀ । ଅନେକଙ୍କ ପାଇଁ ଏହା ଏକ ସୁନ୍ଦର ପରିଦର୍ଶନ ସ୍ଥଳୀ ମଧ୍ୟ । ହେଲେ ଏବେ ଏହି ତାଜମହଲ ବିପଦରେ ଥିବା ଆଶଙ୍କା କରାଯାଉଛି । ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ବନ୍ୟା ଆସିବା ଯୋଗୁଁ ଅଧିକାଂଶ ସ୍ଥାନ ଜଳମଗ୍ନ । ଦିଲ୍ଲୀରେ ଓ ଆଗ୍ରାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବାଦ୍ ପଡ଼ିନି ତାଜମହଲ । ତାଜମହଲ ପାଚେରୀକୁ ଛୁଇଁ ଲହଡି ଭାଙ୍ଗୁଛି ଯମୁନା ନଦୀର ପାଣି । ତାଜମହଲ ପାଖରେ ଥିବା ଦଶହରା ଘାଟ, ତାଜମହଲ ପାଖ ବଗିଚା, ପାର୍କ ଆଦି ବନ୍ୟା ପାଣିରେ ବୁଡି ରହିଛି । ଦୀର୍ଘ ୪୫ ବର୍ଷ ପରେ ପୁଣି ଥରେ ଦେଖିବାକୁ ମିଳିଛି ଏପରି ପରିସ୍ଥିତି। ତେବେ ଦୀର୍ଘ ୪୫ବର୍ଷ ପରେ ତାଜମହଲ ପାଚେରୀକୁ ଯମୁନା ନଦୀର ପାଣି ଛୁଇଁଛି । ଯମୁନା ନଦୀର ଜଳସ୍ତର କିଛି ସମୟ ପାଇଁ କମୁଥିବାବେଳେ ପୁଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ଯଦି ଲଗାତର ଭାବେ ଯମୁନା ନଦୀର ଜଳସ୍ତର ଆହୁରି ଅଧିକ ବଢ଼େ ତେବେ ତାଜମହଲ ପ୍ରତି ବିପଦ ଆଶଙ୍କା କରାଯାଇଛି । ସେହିପରି ଦିଲ୍ଲୀର କିଛି ସ୍ଥାନରେ ବନ୍ୟାଜଳ ଛାଡ଼ିଯାଇଥିଲେ ମଧ୍ୟ ବର୍ଷା ଲାଗି ରହିଛି । ସେପଟେ ଯମୁନା ନଦୀର ଜଳସ୍ତର ବଢ଼ୁଥିବାବେଳେ ରାଜଘାଟ ପରି ବହୁ ସ୍ଥାନ ଜଳମଗ୍ନ ହୋଇ ରହିଛି । ଅନ୍ୟପଟେ ଆସାମରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟାଜଳ ପଶିଥିବାରୁ ବନ୍ୟଜନ୍ତୁଙ୍କ ବସବାସ ପ୍ରଭାବିତ ହୋଇଛି । ବନ୍ୟଜନ୍ତୁଙ୍କ ବାସସ୍ଥାନରେ ପାଣି ପଶିଯାଇଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି ।11:04 AM