ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯିବ ଆଉ ୨୦ଟି ବେଡ୍। ଏବେ ଏହି ବେଡ୍ ସଂଖ୍ୟା ୫୦ ରହିଛି l ୨୦ଟି ବେଡ୍ ବଢିବା ଫଳରେ ଡେଙ୍ଗୁ ରୋଗୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ବେଡ୍ ସଂଖ୍ୟା ୫୦ରୁ ୭୦କୁ ବୃଦ୍ଧି ପାଇବ l ଏହାସହ କୋଭିଡ୍ ଭଳି ଡେଙ୍ଗୁ ରୋଗୀଙ୍କ ଲାଗି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି l ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କ୍ୟାପିଟାଲ ହସ୍ପିଟାଲ ବୁଲି ଡେଙ୍ଗୁ ସ୍ଥିତି ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏବେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ଟି ବେଡ୍ ଥିବାବେଳେ ୫୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଯାହାଦ୍ୱାରା ରୋଗୀଙ୍କ ଚିକିତ୍ସାରେ ଅସୁବିଧା ପାରିଲକ୍ଷିତ ହେଉଛି l ସୂଚନା ଅନୁଯାୟୀ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ପ୍ଲେଟ୍ଲେଟ୍ ଓ ଟେଷ୍ଟିଂ କିଟ୍ ମହଜୁଦ ରହିଛି। କେବଳ ବେଡ୍ ର ଅଭାବ ରହିଛି ଯାହା ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି l ତେଣୁ ଲୋକମାନଙ୍କୁ ଭୟଭୀତ ନହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ସେପଟେ ରାଜଧାନୀରେ ଡେଙ୍ଗୁ ପରିସ୍ଥିତି ଧୀରେ ଧୀରେ ଖୁବ ବଢ଼ିବାରେ ଲାଗିଛି l ଏନେଇ କ୍ୟାପିଟାଲ ହସ୍ପିଟାଲକୁ ଏବେ ପ୍ରତିଦିନ ୫ ଶହ ରୋଗୀ ଡେଙ୍ଗୁ ପରୀକ୍ଷା ପାଇଁ ଆସୁଥିବା ହସ୍ପିଟାଲର ଉପ ଅଧକ୍ଷକ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି । ତେବେ ଏହି ଡେଙ୍ଗୁ କୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଏମସି ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି l
