
ଆସିଲା ଦୀପିକା ଓ ଦିନେଶଙ୍କ ଡିଏନଏ ରିପୋର୍ଟ । ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ ଓ ଦୀପିକା । ଏହା ଡିଏନଏ ରିପୋର୍ଟରେ ଉଲ୍ଲେଖ ରହିଛି । ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା ବୋଲି ଜଣାପଡ଼ିଛି । ରାଜ୍ୟ ଫରେନ୍ସିକ ଲାବ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହୋଇଛି । ୨୦୨୧ରେ ହୋଇଥିବା ମାମଲା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସଡିଯେଏମ , ବ୍ରହ୍ମପୁର ଏସ୍ପି ଓ ଟାଉନ ଥାନାକୁ ପ୍ରଦାନ କରିଥିଲେ । ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା । କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସ୍ପି । ଅନ୍ୟପଟେ ଦୀର୍ଘ ଦିନ ପରେ ପୁଣି ଥରେ ନ୍ୟାୟ ପାଇବା ପାଇଁ ପ୍ରେମିକଙ୍କ ଘର ବାରଣ୍ଡାରେ ଡିଏନଏ ରିପୋର୍ଟ ଧରି ଧାରଣାରେ ବସିଛନ୍ତି ବ୍ରହ୍ମପୁରର କେ. ଦୀପିକା ।

ହାଇକୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ପୁଣିଥରେ ଦେଶୀ ବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଦୀପିକା । ସେପଟେ ଦୀପିକାଙ୍କ ଅଭିଯୋଗକୁ ନେଇ ତଦନ୍ତ କରାଯିବ ବୋଲି କହିଥିଲେ ବ୍ରହ୍ମପୁର ଏସ୍ପି । ଦୀପିକାଙ୍କ ଧାରଣାସ୍ଥଳରେ କିଛି ପୋଲିସ କର୍ମଚାରୀ ସୁରକ୍ଷା ଦେବା ନିମନ୍ତେ ଉପସ୍ଥିତ ରହିଥିଲେ । ତେଣୁ ପୋଲିସ ଉପସ୍ଥିତିରେ ଦିନେଶଙ୍କ ପରିବାର ଲୋକେ କାହିଁକି ଦୀପିକାଙ୍କ ଉପରେ ଲଙ୍କା ଗୁଣ୍ଡ ଫିଙ୍ଗିଲେ ସେ ନେଇ ତଦନ୍ତ କରାଯିବ ବୋଲି କୁହାଯାଇଛି । ସ୍ତ୍ରୀର ଅଧିକାର ଓ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଗତ ବର୍ଷ ଅଗଷ୍ଟ ମାସ ୨ ତାରିଖରେ ଦୀପିକା ନିଜର ପ୍ରେମିକା ଦିନେଶଙ୍କ ବ୍ରହ୍ମପୁର ଦେଶୀବେହେରା ସାହିରେ ରହିଥିବା ଘର ବାରଣ୍ଡାରେ ଧାରଣାରେ ବସିବା ଆରମ୍ଭ କରିଥିଲେ । ଦୀର୍ଘ ମାସ ଧରି ଧାରଣାରେ ବସି ସେ ନ୍ୟାୟ ପାଇଁ ଲଢ଼େଇ କରିଥିଲେ । ପରବର୍ତ୍ତୀ ସମୟରେ ଏନେଇ ହାଇକୋର୍ଟକୁ ଯିବା ପରେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖି ଧାରଣାରୁ ଓହରି ଯାଇଥିଲେ l ହେଲେ ଏଯାଏଁ ନ୍ୟାୟ ନମିଳିବାରୁ ପୁଣି ଡିଏନଏ ରିପୋର୍ଟ ହାତରେ ଧରି ଧାରଣାରେ ବସିଛନ୍ତି ଦୀପିକା l