
ଟମାଟୋ ପରେ ବଢ଼ିପାରେ ପିଆଜ ଦର ଟମାଟୋ ଓ ପନିପରିବା ପରେ ଏବେ ଆଗକୁ ଆସୁଛି ପିଆଜ ପାଳି । ବଢି଼ବ ପିଆଜ ଦର । ଗତ କିଛି ଦିନରେ ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ପିଆଜ ଦର ବଢିବା ନେଇ ଅନୁମାନ କରାଯାଉଛି । ମିଳିଥିବା ଏକ ରିପୋର୍ଟ ଆଧାରରେ, ଆଗାମୀ ଦିନରେ ପିଆଜର ଦର ମଧ୍ୟ ବୃଦ୍ଧି ହୋଇପାରେ । ଅଗtଷ୍ଟ ମାସ ଶେଷ ସୁଦ୍ଧା ବଜାରରେ ପିଆଜର ମୂଲ୍ୟ ଅହେତୁକ ବୃଦ୍ଧି ହୋଇପାରେ । ପିଆଜର ଆମଦାନୀ କମ୍ ହୋଇଯାଇଥିବାରୁ ଦର ବୃଦ୍ଧି ହୋଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ପିଆଜ କିଲୋ ୬୦ରୁ ୭୦ଟଙ୍କା ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ଖୁଚୁରା ବଜାରରେ କିଲୋଗ୍ରାମ ପ୍ରତି ପିଆଜର ମୂଲ୍ୟ ୩୦ ଟଙ୍କା ରହିଛି । କ୍ରିସିଲ୍ (CRISIL) ରିସର୍ଚ୍ଚର ରିପୋର୍ଟରେ ଦର୍ଶାଯାଇଛି ଯେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପିଆଜ ମୂଲ୍ୟ ୬୦-୭୦ ଟଙ୍କା ଛୁଇଁବ। ଯୋଗାଣ ପ୍ରତିବନ୍ଧକ ଯୋଗୁଁ ମୂଲ୍ୟ ବୃଦ୍ଧି ହେବ ବୋଲି କ୍ରିସିଲ୍ ମତ ଦେଇଛି । ତେବେ ଅକ୍ଟୋବରରେ ଯୋଗାଣ ସ୍ୱାଭାବିକ ହେବ ଏବଂ ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି କ୍ରିସିଲ୍ କହିଛି । କ୍ରିସିଲ୍ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଅଧିକ ତାପମାତ୍ରା ହେତୁ ଫେବୃଆରୀ ପ୍ରାରମ୍ଭରେ ରବି ଫସଲ ଅମଳ ହୋଇଛି । ପିଆଜ ଉତ୍ପାଦନରେ ମହାରାଷ୍ଟ୍ରର ୪୯ ପ୍ରତିଶତ, ମଧ୍ୟପ୍ରଦେଶର ୨୨ ପ୍ରତିଶତ ଏବଂ ରାଜସ୍ଥାନର ୬ ପ୍ରତିଶତ ଭାଗିଦାରି ରହିଛି। ଅନ୍ୟପଟେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ବର୍ଷା ଓ ବନ୍ୟା କାରଣରୁ ଅନେକ ଫସଲ ନଷ୍ଟ ମଧ୍ୟ ହୋଇଛି । ଯାହାକୁ ନେଇ ପରିବା ଦର ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଂକା ସୃଷ୍ଟି ହୋଇଛି । ଟମାଟୋ ପରେ ଯଦି ପିଆଜ ଓ ଅନ୍ୟ ପରିବାର ଦର ବୃଦ୍ଧି ହୁଏ ତେବେ ସାଧାରଣ ଲୋକଙ୍କ ଉପରେ ଏହା ଏକ ବଡ ପ୍ରଭାବ ପକାଇବ ।