ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରୟାନ-୩ ପଠାଇବାର ଉଦ୍ଦେଶ୍ୟ ମଧ୍ୟରୁ ଦୁଇଟି ଉଦ୍ଦେଶ୍ୟ ସାଧନ ହୋଇସାରିଛି । କେବଳ ଆଉ ଗୋଟିଏ ଲକ୍ଷ୍ୟ ସାଧନ ନିମନ୍ତେ ଚାଲିଛି ଗବେଷଣା l ବର୍ତ୍ତମାନ ଇନ୍-ସିଟୁ ବୈଜ୍ଞାନିକ ଗବେଷଣା କାର୍ଯ୍ୟ ଜାରି ରହିଛି ବୋଲି ଇସ୍ରୋ ସୂଚନା ଦେଇଛି । ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ ) ।
ଏକ୍ସରେ ଟ୍ୱିଟ୍ କରି ଇସ୍ରୋ କହିଛି “ଚନ୍ଦ୍ରୟାନ -୩ ମିଶନର ଉଦ୍ଦେଶ୍ୟ ମଧ୍ୟରେ ପ୍ରଥମଟି ଥିଲା ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ l ଯାହାକି ସଫଳତାର ସହ ସମ୍ପନ୍ନ ହୋଇସାରିଛି । ଦ୍ୱିତୀୟ ଉଦେଶ୍ୟଟି ଥିଲା ଚନ୍ଦ୍ରପୃଷ୍ଠାରେ ରୋଭର ପ୍ରଜ୍ଞାର ବିଚରଣ l ତେବେ ସେ ଉଦ୍ଦେଶ୍ୟ ମଧ୍ୟ ସଫଳ ହୋଇଛି । ଆଉ ବର୍ତ୍ତମାନ କେବଳ ଇନ୍-ସିଟୁ ବୈଜ୍ଞାନିକ ପରୀକ୍ଷଣ ଚାଲିଛି । ଯେଉଁଥିରେ ଯଥା ସମ୍ଭବ ଚନ୍ଦ୍ରପୃଷ୍ଠର ତଥ୍ୟ ଗ୍ରହଣ କରିବାକୁ ପ୍ରୟାସ ଜାରି ରହିଛି l ଚନ୍ଦ୍ରୟାନ- ୩ର ସମସ୍ତ ପେଲୋଡ୍ ଠିକ୍ ଭାବରେ କାର୍ଯ୍ୟ କରୁଛି ବୋଲି ମଧ୍ୟ ଇସ୍ରୋ ସୂଚନା ଦେଇଛି l
ଏହାପୂର୍ବରୁ ମଧ୍ୟ ଦିନ ରୋଭର ଚନ୍ଦ୍ରରେ ବୁଲୁଥିବାର ଏକ ଭିଡିଓ ଇସ୍ରୋ ପକ୍ଷରୁ ଜାରି କରାଯାଇଥିଲା। ପ୍ରଜ୍ଞା ରୋଭର ଦକ୍ଷିଣ ପୃଷ୍ଠରେ ଚନ୍ଦ୍ରର ରହସ୍ୟ ଖୋଜିବା ପାଇଁ ଶିବଶକ୍ତି ପଏଣ୍ଟରେ ଘୁରି ବୁଲୁଛି ବୋଲି ଇସ୍ରୋ କହିଥିଲା । ଇସ୍ରୋର ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଗଷ୍ଟ ୨୩ ମୋ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାରେ ଦେଶ ଇତିହାସ ରଚିଛି । ଏହି ଦୃଶ୍ୟକୁ କେବେ ବି ଭୁଲି ହେବନାହିଁ । କିଛି ସ୍ମୃତି ଅମର ହୋଇରହେ ଏବଂ ଏହା ସେଥି ମଧ୍ୟରୁ ଏକ l ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଭାରତ ପାଳନ କରିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ଶିବଶକ୍ତି ଏବଂ ଯେଉଁଠି ଚନ୍ଦ୍ରୟାନ -୨ ଅବତରଣ କରିଥିଲା, ତାର ନାଁ ତ୍ରିରଙ୍ଗା ରଖାଯାଇଛି l