ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୧୪ ବର୍ଷୀୟ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଭିଲୱାଡ଼ା ଜିଲ୍ଲାର ନୃସିଂହପୁର ଗାଁର ଜଣେ ନାବାଳିକା ଛେଳି ଚରାଇବାକୁ ଯାଇଥିବାବେଳେ ତାଙ୍କୁ କେହି ଗଣଦୁଷ୍କର୍ମ କରି ପୋଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି । ସ୍ଥାନୀୟ କୋଇଲା ଭାଟିରେ ଝିଅଟିର ଶରୀର ପୋଡ଼ା ଅଂଶ ମିଳିଛି । ତେବେ ମିଳିଥିବା ଖବର ଅନୁଯାୟୀ, ବୁଧବାର ସକାଳ ୧୦ ଟା ସମୟରେ ନାବାଳିକା ଜଣକ ଛେଳି ଚରାଇବାକୁ ଯାଇଥିଲେ । ପ୍ରତିଦିନ ପରି ଛେଳି ଛରାଇବାକୁ ଯାଇ ଠିକ ସମୟରେ ଫେରି ଆସୁଥିବା ଝିଅ ଯେବେ ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲା , ଘର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା । ରାତି ୧୦ ଟା ହୋଇଯିବାରୁ ଘର ଲୋକେ ଚିନ୍ତିତ ହୋଇ ଖୋଜିବା ଆରମ୍ଭ କରି ଦେଇଥିଲେ । ଏବଂ ଖୋଜିବାବେଳେ ସ୍ଥାନୀୟ କୋଇଲା ଭାଟିରୁ ମିଳିଥିଲା ଝିଅର ଶରୀର ପୋଡ଼ା ଅଂଶ । ଏହି ଖବର ପରେ ଘଟଣାସ୍ଥଳରେ ପୋଲିସ ଓ ବହୁ ଅଧିକାରୀ ପହଁଚି ତଦନ୍ତ ଜାରି କରିଛନ୍ତି । ରାତିରେ ଖବର ମିଳିବା ପରେ ତଦନ୍ତ ଜୋରଦାର କରିଛନ୍ତି ପୁଲିସ ଟିମ୍ । ଘଟଣାସ୍ଥଳରୁ ପୁଲିସ ନାବାଳିକାଙ୍କର ଜୋତା ଓ ବ୍ରେସଲେଟ ଜବତ କରିଛି । ତେବେ ଏହି ଘଟଣାରେ ତିନି ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ସୂଚନା ମିଳିଛି । ପରିବାର ଲୋକେ ଘଟଣାରେ ନ୍ୟାୟ ଭିକ୍ଷା କରିଛନ୍ତି । ଯଥା ଶୀଘ୍ର ଏହି ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ କହିଛନ୍ତି ।
ଗଣଦୁଷ୍କର୍ମ ପରେ କୋଇଲା ଭାଟିରେ ପୋଡିଦେଲା ଦୁର୍ବୁତ୍ତ
