
କଟକ ରୋଡ୍ ହୋଟେଲ ଦୀପାଳୀ ଇଣ୍ଟରନାସନାଲ୍ ବାରରେ ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ଦିନକୁ ଦିନ ଗଡ଼ିଚାଲିଥିଲେ ବି ଏଯାଏଁ ସ୍ପଷ୍ଟ ଭାବେ ମିଳିପାରୁନି କିଛି ସୁରାକ୍ । ଏବେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ ପୁଲିସକୁ । ଅପରପକ୍ଷରେ ହୋଟେଲ କର୍ମଚାରୀ ଓ ଅନ୍ୟ କେତେ ଜଣଙ୍କୁ ପଚରାଉଚୁରା କରୁଛି ପୋଲିସ୍ । ଏବେ ଶୁଭଲକ୍ଷ୍ମୀଙ୍କ ମୋବାଇଲର ସିଡ଼ିଅର ରିପୋର୍ଟକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ୍ । କିନ୍ତୁ ହୋଟେଲ କର୍ମଚାରୀଙ୍କ ବୟାନରେ ତାଳମେଳ ନ ଥିବାରୁ ସନ୍ଦେହ ଆହୁରି ବଢିଚାଲିଛି । ଲକ୍ଷ୍ମୀସାଗର ଥାନା ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରିବାବେଳେ ଏଭଳି ତଥ୍ୟ ପୁଲିସ ପାଇଛି, ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅଙ୍କଲ ଓରଫ୍ ଲିଟୁ ନାମକ ଜଣେ ଯୁବକ ଭୁବନେଶ୍ୱରରେ ବାର୍ କୁ ଝିଅ ଯୋଗାଇବାରେ ସମ୍ପୃକ୍ତ ଅଛନ୍ତି । ସେ ଏହି ରାକେଟ୍ର ମୁଖ୍ୟ କାର୍ପେଟଦାର ବୋଲି କୁହାଯାଉଛି । ଏମିତି କି ଏଥିରେ କିଛି ବାର ମାଲିକ ଓ ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି । ସେମାନେ ବାର୍କୁ ଝିଅ ଯୋଗାଇବାକୁ ଲିଟୁ ସହ ହାତ ମିଳାଇଛନ୍ତି ।

ଗ୍ରାହକମାନେ ବାରଗାର୍ଲଙ୍କ ଉପରେ ଯେଉଁ ଟଙ୍କା ଉଡ଼ାନ୍ତି, ତାହା ବାରଗାର୍ଲଙ୍କୁ ମିଳେନି । ତାହା ବାର୍ ମାଲିକ ଓ ଦଲାଲଙ୍କ ଭିତରେ ବାଣ୍ଟ ହୁଏ । ଶୁଭଲକ୍ଷ୍ମୀ ଏହିଭଳି କିଛି ଦଲାଲଙ୍କ ଜାଲରେ ଫସିଯାଇଥିଲେ ବୋଲି ସେ ଅନିଲଙ୍କୁ ଜଣାଇଥିଲେ । ଅଙ୍କଲ୍ ଓରଫ୍ ଲିଟୁ ହିଁ ଶୁଭଲକ୍ଷ୍ମୀଙ୍କୁ ବାର୍ରେ କାମ ଦେଇଥିଲେ । ଶୁଭଲକ୍ଷ୍ମୀଙ୍କ ସମସ୍ୟା ବିଷୟରେ ଜାଣିବା ପରେ, ଆଉ ବାର୍ରେ କାମ ନକରି ମଡେଲିଂ ବା ଅନ୍ୟକିଛି କରି ରୋଜଗାର କରିବା ପାଇଁ ଅନୀଲ ତାଙ୍କୁ କହିଥିଲେ ବୋଲି ସେ ପୋଲିସ କୁ କହିଛନ୍ତି । ଶୁଭଲକ୍ଷ୍ମୀ ବାର୍ କାମ ଛାଡ଼ି ଅନ୍ୟକିଛି ଯୋଜନା କରୁଥିବା ଜାଣିବା ପରେ ଦଲାଲ୍ମାନେ ତାଙ୍କୁ ବ୍ଲାକମେଲ କରିଥିଲେ । ସେମାନଙ୍କ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୀଲ ତାଙ୍କ ବୟାନରେ କହିଛନ୍ତି । ଏଭଳି କଥା ସାମ୍ନାକୁ ଆସିବା ପରେ ପୋଲିସ୍ ଲିଟୁଙ୍କୁ ଡ଼ାକି ଜେରା କରିବାକୁ ଯୋଜନା କରିଛି । ଏହା ଭିତରେ ଲକ୍ଷ୍ମୀସାଗର ଥାନା ପୋଲିସ ହାତରେ ଶୁଭଲକ୍ଷ୍ମୀଙ୍କର ଗତ ଦୁଇମାସର ସିଡିଆର୍ ରିପୋର୍ଟ ଲାଗିଛି । ସେଥିରେ ଏକାଧିକ ନମ୍ବର ସନ୍ଦେହ ଘେରରେ ଥିବାବେଳେ ଲିଟୁଙ୍କ କଲ୍ ମଧ୍ୟ ରହିଛି । ତେଣୁ ଲିଟୁଙ୍କୁ ପୋଲିସ ଜେରା କରିବ ବୋଲି ଜଣାପଡ଼ିଛି । ସେପଟେ ହୋଟେଲ୍ ରୁମ୍ରୁ ପ୍ରମାଣ ନଷ୍ଟ କରାଯାଇଥିବା ସନ୍ଦେହ ଉଠିଛି । ହୋଟେଲର କିଛି କର୍ମଚାରୀ ମଧ୍ୟ ଫେରାର୍ ଅଛନ୍ତି । ହୋଟେଲର ତଳ ଓ ଉପର ମହଲାରେ ସିସି କ୍ୟାମେରା ଲାଗିଥିଲା । କିନ୍ତୁ ହାର୍ଡ ଡିସ୍କରେ ଉକ୍ତ ସିସି କ୍ୟାମେରାର ଫୁଟେଜ୍ ନାହିଁ । ସେପଟେ ଅଙ୍କଲ ଲିଟୁ ସନ୍ଦେହ ଘେରରେ ଥିବା ଜାଣି ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ ନିଜକୁ ନିର୍ଦ୍ଦୋଷ କହିଛନ୍ତି । ଆଉ ସେ କହିଛନ୍ତି କି ଶୁଭଲକ୍ଷ୍ମୀର ବାପା-ବୋଉ ତା’ ପାଇଁ ଚାକିରି ଖୋଜିବା ପାଇଁ କହିଥିଲେ । ନାବାଳିକା ହୋଇଥିବାରୁ ତାକୁ କେହି କାମ ଦେଉନଥିଲେ । ମୁଁ କେବଳ ତା’ ପାଇଁ କାମ ବୁଝି ଦେଇଥିଲି । କୌଣସି ଭାଇରାଲ ଭିଡିଓ କିମ୍ବା ବ୍ଲାକମେଲ୍ କଥା ସମ୍ପୂର୍ଣ୍ଣ ମିଛ । ସେ ୩ ମାସ ହେଲା ଶୁଭଲକ୍ଷ୍ମୀ ସହ ଯୋଗାଯୋଗରେ ମଧ୍ୟ ନଥିଲେ । ସଞ୍ଜୟ ଓ ଅନୀଲ ସହ ଥିବା ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥାଇପାରେ ବୋଲି ଅଙ୍କଲ୍ ସନ୍ଦେହ କରି କହିଛନ୍ତି । ତେବେ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଏବେ ଗୋଟେ ପରେ ଗୋଟେ କଡିକୁ ଧରି ଆଗକୁ ବଢିଚାଲିଛି ପୋଲିସ l ଖୁବ ଶୀଘ୍ର ଅସଲି ଦୋଷୀ ସାମ୍ନାକୁ ଆସିବ ବୋଲି ସମସ୍ତେ ଆଶା ରଖିଛନ୍ତି l