ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି । ହସ୍ପିଟାଲ କାଜୁଆଲଟିରେ କର୍ମରତ ଥିବା ୨ଜଣ ଡାକ୍ତରଙ୍କ କଲର ଧରି ଘୋଷାଡ଼ିବା ସହିତ ମାଡ଼ ମରାଯାଇଥିବା ନେଇ କ୍ୟାପିଟାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଅଭିଯୋଗ ଅନୁସାରେ କ୍ଷୀରୋଦ ଦେଓ ନାମକ ଜଣେ ଯୁବକ ତାଙ୍କ ମା’ଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ କାଜୁଆଲଟିରେ ପହଞ୍ଚିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କାଜୁଆଲଟିରେ ଭର୍ତି କରାଯାଇଥିଲା । ନିର୍ଦ୍ଦେଶକଙ୍କ କହିବା ଅନୁସାରେ ହସ୍ପିଟାଲରେ ଭର୍ତି ପୂର୍ବରୁ କ୍ଷୀରୋଦଙ୍କ ମା’ଙ୍କ ମୃତ୍ୟୁ ହୋଇସାରିଥିଲା । ଡାକ୍ତରମାନେ ତାଙ୍କୁ ରିସିଭ ଡେଡ୍ ଘୋଷଣା କରିବାରୁ କ୍ଷୀରୋଦ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ଏହି ଘଟଣାରେ କ୍ଷୀରୋଦ ଦେଓଙ୍କୁ କ୍ୟାପିଟାଲ ଫାଣ୍ଡିରେ ଅଟକ ରଖାଯାଇଛି । କ୍ଷୀରୋଦଙ୍କ କହିବା ଅନୁସାରେ ମା’ଙ୍କୁ ରାତି ସାଢ଼େ ୧୨ଟା ସମୟରେ ଗୁରୁତର ଅବସ୍ଥାରେ ସେ ହସ୍ପିଟାଲରେ ଭର୍ତି କରିଥିଲି । ବାରମ୍ବାର କହିବା ସତ୍ୱେ ଡାକ୍ତରମାନେ ଶୁଣି ନଥିଲେ ଓ ସେଥିଯୋଗୁଁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା l ମା’ଙ୍କ ମୃତ୍ୟୁ ଖବର ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଡାକ୍ତରଙ୍କୁ ମାଡ଼ମାରିଥିବା ମଧ୍ୟ ସ୍ୱିକାର କରିଛନ୍ତି କ୍ଷୀରୋଦ । ମୃତ ମା’ଙ୍କ ଶେଷକୃତ୍ୟ ପାଇଁ ଗଣମାଧ୍ୟମ ଆଗରେ ନେହୁରା ହୋଇଛନ୍ତି କ୍ଷୀରୋଦ । ଅନ୍ୟପଟେ ଡାକ୍ତର ଆସୋସିଏସନ ପ୍ରେସିଡେଣ୍ଟ କହିଛନ୍ତି ଡାକ୍ତରଙ୍କୁ ମାଡ଼ ମାରିବା ଧତବ୍ୟ ଅପରାଧ । ଏହି ଘଟଣାରେ ଏନଏସଏ ଭଳି ସଙ୍ଗୀନ ଦଫା ଲଗାଯିବ ଜରୁରୀ ।
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗ
