Site icon UTKAL PRATIDIN

କୋହଳ ହେଲା ଶିକ୍ଷକଙ୍କ ବଦଳି ନୀତି

photo_6273811072213431831_y

ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ଆନ୍ତଃଜିଲ୍ଲା ବଦଳିକୁ ସରଳୀକରଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ସଂଖ୍ୟା ୨୧୯୦୮ ତା.୧.୧୦.୨୦୧୮ରେ ଅନେକ ପରିବର୍ତ୍ତନ କରିବାକୁ ସ୍ଥିର କରାଯାଇଛି । ଯାହା ଦ୍ୱାରା ଅନେକ ଶିକ୍ଷକ/ଶିକ୍ଷୟିତ୍ରୀ ଉପକୃତ ହୋଇପାରିବେ। ପରିବର୍ତ୍ତିତ ନିୟମ ଅନୁଯାୟୀ ଅସୁସ୍ଥତା ପାଇଁ ବଦଳି ବ୍ୟବସ୍ଥାକୁ ବ୍ୟାପକ କରାଯାଇ ସମ୍ପୃକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହିତ ସେମାନଙ୍କ ଦମ୍ପତି ତଥା ନାବାଳକ ସନ୍ତାନମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। ଶାରୀରିକ ଭିନ୍ନକ୍ଷମ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ବଦଳିକୁ ରାଜ୍ୟ ମେଡିକାଲ ବୋର୍ଡ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ୍‌ ଦ୍ୱାରା ହିଁ ବିଚାରକୁ ନିଆଯିବ। ସେହିପରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପତି କିମ୍ବା ପତ୍ନୀ ଅବା ସେମାନଙ୍କର ସନ୍ତାନ ଯଦି କୌଣସି ଟର୍ମିନାଲ ରୋଗରେ ପୀଡ଼ିତ ଥିବେ,ତା’ହେଲେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ମେଡିକାଲ ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ । ତେବେ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ । ଏଥି ସହିତ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସନ୍ତାନମାନଙ୍କର ଶାରୀରିକ ଭିନ୍ନକ୍ଷମତା ୯୦ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଏବଂ ଜିଲ୍ଲା ମେଡିକାଲ ବୋର୍ଡ ଘରୋଇ ତତ୍ତ୍ୱାବଧାନ ପାଇଁ ସେ ପିଲାମାନଙ୍କୁ ସାର୍ଟିଫିକେଟ ଦେଇଥିବେ ସେ କ୍ଷେତ୍ରରେ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ତଃଜିଲ୍ଲା ବଦଳି ପାଇଁ ବିଚାରକୁ ନିଆଯିବ। ବିଭାଗ ନେଇଥିବା ନୂଆ ନିଷ୍ପତ୍ତି ଅନୁସାରେ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ସମାନ ଗ୍ରେଡ୍ ଓ ଲେଭଲ୍ ଏବଂ ସମାନ ସାମାଜିକ ବର୍ଗର ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଶିକ୍ଷାଗତ ଯୋଗ୍ୟ ଏହି କ୍ଷେତ୍ରରେ ନିର୍ଦ୍ଧାରକ ହେବନାହିଁ । ସେହିପରି ଯଦି ଉଭୟ ପତି ଓ ପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବେ ତା’ହେଲେ ସେମାନେ କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଏଥିପାଇଁ ସମାନ ସାମାଜିକ ବର୍ଗ, ଗ୍ରେଡ୍ ଓ ଲେଭଲ ପଦବୀ ଖାଲି ଥିବା ଜରୁରୀ । ସମାନ ସାମାଜିକ ବର୍ଗ ଓ ପଦ ଖାଲିଥିବା ସ୍ତର ଅନୁଯାୟୀ ସେମାନେ ଚାକିରି କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ବଦଳି ହୋଇପାରିବେ। ଆସନ୍ତା ୧ ମାସ ଏନେଇ ସବିଶେଷ ତଥ୍ୟ ଟ୍ରାନ୍ସଫର ପୋର୍ଟାଲ ଅପଡେଟ୍‌ ହେବା ପରେ ଶିକ୍ଷକମାନଙ୍କ ଅବେଦନ ଗ୍ରହଣ କରାଯିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version