Site icon UTKAL PRATIDIN

କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ପରଲୋକ

photo1691392880

 
ଦୁନିଆକୁ ଅଲବିଦା କହିଛନ୍ତି କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ । ହୃଦଘାତରେ ବିଜୟ ରାଘବେନ୍ଦ୍ରଙ୍କ ସ୍ତ୍ରୀ ସ୍ପନ୍ଦନାଙ୍କର ମୃତ୍ୟୁ ହୋଇଛି । ବ୍ୟାଙ୍କକ୍‌ର ଏକ ହସ୍ପିଟାଲରେ ସ୍ପନ୍ଦନା ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି । ତାଙ୍କର ମୃତ୍ୟୁ ଖବରରେ ଏବେ ସମସ୍ତେ ସ୍ତବ୍ଧ । ପରିବାର ଲୋକ ତାଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସ୍ପନ୍ଦନା ଥାଇଲ୍ୟାଣ୍ଡରେ ତାଙ୍କ ପରିବାର ସହିତ ଥିବାବେଳେ ଏହି ଘଟଣା ଘଟିଛି । ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀଙ୍କର ରକ୍ତଚାପ କମ୍ ଥିବାରୁ ଏହା ହୃଦଘାତର କାରଣ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆସନ୍ତାକାଲି ତାଙ୍କ ମୃତଦେହ ବାଙ୍ଗାଲୋରରେ ପହଞ୍ଚିବା ପରେ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ଅବସରପ୍ରାପ୍ତ ସହକାରୀ ପୋଲିସ କମିଶନର ବିକେ ଶିବରାମଙ୍କ ଝିଅ ହେଲେ ସ୍ପନ୍ଦନା l ବିଜୟ ରାଘବେନ୍ଦ୍ର ଏବଂ ସ୍ପନ୍ଦନା ୨୬ ଅଗଷ୍ଟ ୨୦୦୭ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିଜୟ ଓ ସ୍ପନ୍ଦନାଙ୍କର ଏକ ପୁଅ ଅଛି । କେବଳ ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ଥିଲେ ସ୍ପନ୍ଦନା ତାହା ନୁହେଁ, ସେ ଜଣେ କଳାକାର ମଧ୍ୟ ଥିଲେ l ୨୦୧୬ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଅପୂର୍ବା”ରେ ସ୍ପନ୍ଦନା ଅତିଥି କଳାକାର ରୂପେ ଅଭିନୟ କରିଥିଲେ । ବର୍ତ୍ତମାନ ସମୟରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ହାର୍ଟ ଆଟାକରେ ଅନେକ କଳାକାର ତଥା ସାଧାରଣ ଲୋକଙ୍କର ପ୍ରାଣ ଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏବେକାର ଜୀବନଶୈଳୀ ଯୋଗୁ ଯୁବପିଢ଼ି ହୃଦଘାତ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲଗାତର ଷ୍ଟ୍ରେସ ଯୋଗୁ ବ୍ଲଡ୍ ପ୍ରେସର ଓ ହୃଦଘାତ ଭଳି ଘଟଣା ଦେଖିବାକୁ ମିଳୁଛି।

Exit mobile version