ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି l ତେବେ ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବ୍ରହ୍ମପୁର ପୋଲିସ । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ହେଲେ ଆଙ୍କୁଲି ଅଞ୍ଚଳର ପ୍ରଶାନ୍ତ ସେଠୀ। ତେବେ ମିଳିଥିବା ସୂଚନା ମୁତାବକ ଗତ ୨୦୨୧ ମସିହାରେ ସଦର ଥାନା ଅନ୍ତର୍ଗତ ଝାଡାଙ୍କୁଲି ଗ୍ରାମରେ ତାଙ୍କ ବାପା କୋରା ସେଠୀଙ୍କୁ କିଛି ଦୁବୃର୍ତ୍ତ ହତ୍ୟା କରିଥିଲେ । ଏହି ହତ୍ୟା ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାର ଚାର୍ଜସିଟ୍ କୋର୍ଟରେ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ବେଳେ ମାମାଲାର ବିଚାର ଜିଲ୍ଲା କୋର୍ଟରେ ଜାରି ରହିଛି । ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ହାଇକୋର୍ଟରୁ ବେଲ୍ ପାଇ ଜେଲରୁ ବାହାରି ସାରିଛନ୍ତି । କେବଳ ଏହି ୫ ଜଣ ନୁହେଁ ବରଂ ଆଉ ଦୁଇଜଣ ଯୁବକ ମଧ୍ୟ ଏହି ଘଟଣାରେ ସଂଶ୍ଲିଷ୍ଟ ଅଛନ୍ତି ବୋଲି ପ୍ରଶାନ୍ତ କହିଥିଲେ । ତେଣୁ ସେମାନଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ପ୍ରଶାନ୍ତ ଦାବି କରି ଆସୁଥିଲେ । ଏନେଇ ତାଙ୍କୁ କାଉନସିଲିଂ ମଧ୍ୟ କରାଯାଉଥିଲା । କିନ୍ତୁ ଆଜି ହଠାତ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଶାନ୍ତ l ହେଲେ ପୋଲିସ କର୍ମଚାରୀ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ବୈଦ୍ୟନାଥପୁର ଥାନାରେ ପ୍ରଶାନ୍ତଙ୍କୁ ଅଟକ ରଖାଯିବ ସହ ପଚରାଉଚରା ଜାରି ରଖିଛି l
ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା

