ଆସନ୍ତାକାଲି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ଆସନ୍ତାକାଲି ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ହେବ । ପ୍ରତି ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି ରହିଛି। ଶ୍ରୀମନ୍ଦିର ସତ୍ତ୍ୱଲିପିର ୪୫ ନମ୍ବର ପୃଷ୍ଠାରେ ଏହା ଉଲ୍ଲେଖ ରହିଛି । ଏହି ନୀତି ପାଇଁ ଥିବା ସେବାୟତଙ୍କୁ ଦତ୍ତମହାପାତ୍ର କୁହାଯାଏ । ବନକଲାଗି ନୀତିରେ ହେଉଥିବା ସମସ୍ତ କାର୍ଯ୍ୟ ଦତ୍ତମହାପାତ୍ର କରିଥାନ୍ତି l ରଙ୍ଗପ୍ରସ୍ତୁତ କରିବା ଠାରୁ ବିଗ୍ରହରେ ଲଗାଇବା ସବୁ ଏମାନେ କରିଥାନ୍ତି। ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଏଠାରେ ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ କରାଯାଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶାଇ ମହାପ୍ରଭୁଙ୍କୁ ଲେପନ କରାଯାଏ। କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ସବୁଦିନ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । ତେଣୁ କସ୍ତୁରୀ ବ୍ୟବହାର ଯୋଗୁଁ ମହାପ୍ରଭୁଙ୍କ ରଙ୍ଗ ଦୀର୍ଘସ୍ଥାୟୀ ହୁଏ । ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ । ଚାଙ୍ଗଡା ମେକାପ ୩ ଖଣ୍ଡ ଶ୍ରୀକପଡା ଦିଅନ୍ତି । ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଏ । ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି, କେଶର ଓ କର୍ପୁର ଯୋଗାଇ ଦିଅନ୍ତି । ମହାସ୍ନାନ ପାଇଁ ପଞ୍ଚାମୃତ ଯୋଗାଇ ଦିଆଯାଇଥାଏ । ୭ ପ୍ରକାର ସେବକ ମିଶି ବନକଲାଗି ସେବା ସମ୍ପାଦନ କରିଥାନ୍ତି । ଚାଙ୍ଗଡା ମେକାପ, ୩ ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା ସେବା କରନ୍ତି । ଧୋପଖଳା ହେବା ପରେ ପାଳିଆ ଖୁଂଟିଆ ୩ ଜଣ ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି । ପୁଷ୍ପାଳକ ସିଂହାସନକୁ ଉଠି ଗରାବଡୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି । ଚାଙ୍ଗଡା ମେକାପ ତିନି ବାଡରେ ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଂଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି। ଏହା ତିନି ବାଡରେ ଲାଗି ହେବା ପରେ କର୍ପୁର ଲାଗି କରାଯାଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି। ଏହା ପରେ ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି। ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢେଇରେ ରଖିଥାନ୍ତି। ୩ ଜଣ ଦତ୍ତ ସେବକ ବନକ ପେଡାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି। ଗରାବଡୁଙ୍କଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ ହୋଇଥାଏ । ପ୍ରାୟ ୨ ଘଣ୍ଟା ଧରି ଦତ୍ତ ସେବକମାନେ ବନକଲାଗି କରିଥାନ୍ତି । ଏହା ପରେ ଅନ୍ୟସବୁ ନୀତିକାନ୍ତି ସରିବ ପରେ ଦ୍ୱାରା ଖୋଲା ଯାଏ l ତେଣୁ ଆସନ୍ତା କାଳି ଏହି ସବୁ ନୀତି ସମ୍ପନ୍ନ କରାଯିବ ନିମନ୍ତେ ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ କରାଯାଇଛି l
ଆସନ୍ତାକାଲି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
