Site icon UTKAL PRATIDIN

ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ

photo_6264686508682361008_y

ରାଜ୍ୟକୁ ପୁଣି ଫେରୁଛି ବର୍ଷା। କିଛି ଦିନର ଶୁଖିଲା ପାଗ ପରେ ପୁଣି ଥରେ ଲେଉଟୁଛି ବର୍ଷା । ଆଗାମୀ ୩ ଦିନ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର-ପୂର୍ବ ତଟ-ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ରୁ ୭.୬ କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳର ୧୮ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୧୭ ରୁ ୧୯ ତାରିଖ ଏହାର ସର୍ବାଧିକ ପ୍ରଭାବ ପଡିବପାରେ । ଅନ୍ୟପକ୍ଷରେ ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ହିମାଳୟ ପାଦଦେଶରେ ପ୍ରବାହିତ ହେଉଛି। ଏପରିସ୍ଥିତରେ ସମ୍ଭାବ୍ୟ ଲଗୁଚାପର ରୂପରେଖ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଜି ଏକ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର। ଆଜି ଅର୍ଥାତ ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର। ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Exit mobile version