Site icon UTKAL PRATIDIN

ଆସନ୍ତାକାଲିଠୁ ୧୬ ଯାଏଁ ସାରା ରାଜ୍ୟରେ ସ୍କୁଲ ବନ୍ଦ ରହିବ

12

ବଢୁଥିବା ତାପମାତ୍ରା ଏବଂ ଆଇଏମଡି ଏପ୍ରିଲ ୧୩ରୁ ୧୫ ତାରିଖ ଯାଏ ହିଟ୍ ଓ୍ବେଭ୍ ଜାରି ରହିବ ବୋଲି ଆକଳନ କରିବା ପରେ ଆସନ୍ତାକାଲିଠୁ ସାରା ରାଜ୍ୟରେ ୧୬ ତାରିଖ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା। କିନ୍ତୁ ବଢୁଥିବା ତାପମାତ୍ରାକୁ ଦେଖି ରାଜ୍ୟ ସରକାର ୧୬ ତାରିଖ ଯାଏ ସ୍କୁଲ ଗୁଡିକୁ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ. ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏବଂ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ଥିବାରୁ ୧୩, ୧୪ ଏବଂ ୧୫ ତାରିଖରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଆକଳନ ହୋଇଛି।

ଆଜି ୪୧.୬ ଡିଗ୍ରୀ ସହ ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୧.୨ ଡିଗ୍ରୀ, ସମ୍ବଲପୁର ୪୦.୮, ଭୁବନେଶ୍ୱର ୪୦.୭ ଡିଗ୍ରୀ, ବୈଦ୍ଧ ୪୦.୫ ଡିଗ୍ରୀ, ଟିଟିଲାଗଡ ୪୦.୫ ଡିଗ୍ରୀ, ଅନୁଗୁଳ ୪୦.୧ ଡିଗ୍ରୀ, କଟକ ଓ ସୁନ୍ଦରଗଡରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସୋମବାର ଓଡ଼ିଶାର ଦୁଇଟି ସ୍ଥାନ ଝାରସୁଗୁଡ଼ା ଓ ବାରିପଦାରେ ସର୍ବାଧିକ ତାପମାତ୍ରା ଯଥାକ୍ରମେ ୪୦.୪ ଓ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଦୀର୍ଘ ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ଲୋକେ ମଧ୍ୟାହ୍ନ ସମୟରେ ଘର ଭିତରେ ରହିବା, ଅଧିକ ସମୟ ଖରାରେ ରହିବାରୁ ଦୂରେଇ ରହିବା, ଜଳାଭାବରୁ ରକ୍ଷା ପାଇବା ଭଳି ପଦକ୍ଷେପ ନେଉଛନ୍ତି। ସେହିପରି ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କତା ଅବଲମ୍ବନ କରିବା ସହ ସୁରକ୍ଷିତ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Exit mobile version