
ଆମେରିକାକୁ ବାତ୍ୟା ଭୟଙ୍କର ଆଶଙ୍କା ଆମେରିକାକୁ ଏବେ ଏକ ଭୟଙ୍କର ବାତ୍ୟା ମାଡିଆସୁଥିବା ସୂଚନା ଦେଇଛି ଆମେରିକା ପାଣିପାଗ ବିଭାଗ । ଏହି କାରଣରୁ ପ୍ରଶାସନ ତରଫରୁ ପାଖାପାଖି ସମସ୍ତ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି । ସାରା ଦେଶରେ ଏକ ପ୍ରକାର ବିଜୁଳି ଯୋଗାଣ ବନ୍ଦ କରାଯାଇଛି । ସେପଟେ ଆମେରିକାର ରାଜଧାନୀ ୱାସିଂଟନରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହାସହ ଲୋକମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜର ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆମେରିକା ପାଣିପାଗ ବିଭାଗ ତରଫରୁ ସୋମବାର ଦିନ ଏକ ଭୟଙ୍କର ବାତ୍ୟା ଆସୁଥିବା ନେଇ ସତର୍କ କରାଇଛି । ସେପଟେ ବାତ୍ୟା ପୂର୍ବରୁ ସୋମବାର ଠାରୁ ୱାସିଂଟନ କ୍ଷେତ୍ରରେ ବର୍ଷା ଆରମ୍ଭ ହୋଇଯାଇଛି । ଏହାସହ ପାଗ ବି ଧିରେ ଧିରେ ଅନ୍ଧାରୁଆ ହେବାରେ ଲାଗିଛି । ମଙ୍ଗଳବାର ଅର୍ଥାତ ଆଜି ସକାଳ ଠାରୁ ବାତ୍ୟାର ପୂର୍ବଲକ୍ଷଣମାନ ଦେଖିବାକୁ ମିଳିଛି । ସେପଟେ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ୪ ଦିନିଆ ଗସ୍ତ ଉପରେ ରୋକ ଲଗାଇଛି ହ୍ୱାଇଟହାଉସ୍ । ପାଣିପାଗ ବିଭାଗ କହିଛି କି ଅନେକ ଦୂର ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ । ପାଣିପାଗ ବିଭାଗର ସୂଚନା ମୁତାବକ ଟେନେସୀ ଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ପ୍ରାୟ ୧୦ଟି ରାଜ୍ୟରେ ଏହି ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ବାତ୍ୟା ଯୋଗୁଁ ପ୍ରାୟ ୨୬୦୦ ବିମାନ ଉଡାଣ ରଦ୍ଦ କରାଯାଇଛି ।