
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦିଲ୍ଲୀ ସେବା ବିଧେୟକ ଆଗତ କରିବେ । ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୩ ତାରିଖରେ ଏହି ବିଲ୍ ଲୋକସଭାରେ ପାରିତ ହୋଇସାରିଛି । ରାଜ୍ୟସଭାରେ ବିଲ ଆଗତ ହେବାପରେ ପୂର୍ବରୁ ଆମ ଆଦମି ପାର୍ଟିର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଆଜି ଏବଂ କାଲି ଉପସ୍ଥିତ ରହିବା ପାଇଁ ଆପ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ପଣ୍ତା କହିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ସମସ୍ତ ସାଂସଦଙ୍କୁ ଏହି ସମୟରେ ଉପସ୍ଥିତ ରହିବା ପାଇଁ ହୁଇପ୍ ଜାରି କରିଛି । ଆଜି ବିଲକୁ ରୋକିବା ପାଇଁ ବିରୋଧୀ ମେଣ୍ଟ ଇଣ୍ତିଆ ଉଦ୍ୟମ କରିପରେ । ତେବେ ପୂର୍ବରୁ ସମସ୍ତ ଦଳକୁ ଭେଟି ସମର୍ଥନ ମାଗିଥିଲେ କେଜ୍ରିୱାଲ । ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ଏହି ବିଲ ଉପରେ ଭୋଟଦାନ କରାଯାଇ ପାରେ, ଲୋକସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ ବିନା ବାଧାରେ ପାରିତ ହୋଇଥିଲା । ସେହିପରି ରାଜ୍ୟ ସଭାରେ ମଧ୍ୟ ଏହି ବିଲ ପାରିତ ହେବାର ସମ୍ଭାବନା ରହିଛି । ଏହି ବିଲ ରାଜ୍ୟସଭାରେ ପାରିତ ହେଲେ ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଉପରାଜ୍ୟପାଳଙ୍କ ହାତରେ ରହିବ। ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହି କ୍ଷମତା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର । ତେବେ ଏହାକୁ ପକ୍କା କରିବା ନିମନ୍ତେ ଆଜି ଏହି ବିଲ କୁ ପାରିତ କରିବାକୁ ଲକ୍ଷ୍ୟ ରଖାଯାଇଛି l