
ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଆଜିର ଏହି ବୈଠକ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହ ଯାଉଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ରାଜ୍ୟ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରି ପାରନ୍ତି । ଏହି ବୈଠକରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ସହିତ କୃଷି, ମହିଳା ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସେହିପରି ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଜଳସଂପଦ, ସମବାୟ ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବ ମଧ୍ୟ ଆସିପାରେ । ଏହା ସହ କିଛି ପ୍ରମୁଖ ପ୍ରସ୍ତାବ ଉପରେ ବି ମୋହର ବାଜିପରେ । ଗତ ଜୁଲାଇରେ ହୋଇଥିବା ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।

ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଥିଲା । ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ ହୋଇଥିଲା । ଚଳିତ ଆର୍ଥିକ ବର୍ଷରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । କ୍ୟାବିନେଟ୍ ବୈଠକରେ ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୮.୫୫ କୋଟି ଟଙ୍କାର ବଜେଟ୍ ନିର୍ଦ୍ଧାରଣ କରିଥିଲା । ଆଗାମୀ 5 ବର୍ଷରେ ଏହି ଅର୍ଥରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହାସଂଘ ସହ କାର୍ଯ୍ୟରତ କମ୍ୟୁନିଟି ସର୍ପୋଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ସ୍କୁଟି କିଣି ପାରିବେ । ପସନ୍ଦ ମୁତାବକ ସ୍କୁଟି କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ପାଇବେ । ଆଜି ମଧ୍ୟ ବୈଠକରେ ଏପରି ଆଉ କିଛି ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯିବ ବୋଲି ଆଶା କରାଯାଉଛି l