
ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ତୀବ୍ର ବିତର୍କ ଲାଗିରହିଛି । ଆଜି ସଂସଦରେ ମୌସୁମୀ ଅଧିବେଶନ ଶେଷ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅନାସ୍ଥ ପ୍ରସ୍ତାବକୁ ନେଇ ନିଜ ବିବୃତି ରଖିବେ । ମଣିପୁର ହିଂସା ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀ ଦଳମାନେ ସରକାରଙ୍କ ବିରୋଧରେ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଯାହା ପରେ ଗୃହରେ ମଣିପୁର ସମେତ ଅନେକ ଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ ମୁହାଁମୁହିଁ ହୋଇଛନ୍ତି ବିରୋଧି ଓ ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୂଚନା ଅନୁସାରେ, ଅନାସ୍ଥା ପ୍ରସ୍ଥାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ନିଜ ବିବୃତି ରଖିବେ । ଗତଦୁଇ ଦିନ ହେଲା ଶାକସ ଦଳ ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ତୀବ୍ର ବିତର୍କ ଲାଗିରହିଛି । ବିରୋଧୀ ଅଭିଯୋଗ କରିଛନ୍ତି ଯେ, ସରକାର ମଣିପୁରକୁ ବିଭକ୍ତ କରିଛନ୍ତି l ଅପରପକ୍ଷରେ ସରକାର କହିଛନ୍ତି ଯେ, ଆମେ ଅନେକ ବିକାଶମୂଳକ କାର୍ଯ୍ୟ କରିଛୁ ।

ପ୍ରଥମେ ଆନାସ୍ଥା ପ୍ରସ୍ତାବ ଉପରେ ବିତର୍କ କଂଗ୍ରେସ ସାଂସଦ ଗୌରବ ଗୋଗେଇଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ସେ କହିଥିଲେ , ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବା ପାଇଁ ଆମକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପଡିଲା । ସେ ଆହୁରି କହିଛନ୍ତି, ସରକାର ଅଖଣ୍ଡ ଭାରତ କଥା କହୁଛନ୍ତି ହେଲେ ଦୁଇଟି ମଣିପୁର ସୃଷ୍ଟି କରିସାରିଲେଣି । ଗୋଟିଏ ପର୍ବତ ଉପରେ ରହୁଥିବା ବେଳେ ଅନ୍ୟଟି ଘାଟିରେ ବାସ କରୁଛି । ସେହିପରି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି , ସରକାରଙ୍କ ଉପରେ ଲୋକଙ୍କ ଅନାସ୍ଥା ନାହିଁ କେବଳ ବିରୋଧୀ ଦଳ ଜନତାଙ୍କ ମନରେ ଭ୍ରମ ସୃଷ୍ଟି କରିବା ପାଇଁ ଏହି ପ୍ରସ୍ତାବ ଆଣିଛନ୍ତି ହେଲେ ମୋଦି ସରକାର ସବୁଠାରୁ ଭରସାଯୋଗ୍ୟ ସରକାର । ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଘଣ୍ଟାରୁ ପ୍ରାୟ ୧୭ ଘଣ୍ଟା ଦେଶ ପାଇଁ କାମ କରନ୍ତି । ପ୍ରଥମ ପୂର୍ଣ୍ଣବହୁମତ ସରକାର ହେଉଛନ୍ତି ମୋଦି ସରକାର । ଏପରିକି ଦେଶରେ ଦୁର୍ନୀତି ହଟାଉ ଅଭିଯାନ ମଧ୍ୟ ମୋଦି ସରକାର ଆଣିଛନ୍ତି । ସେହିପରି ୯ ବର୍ଷରେ ୫୦ ଯୁଗାନ୍ତକାରୀ ନିର୍ଣ୍ଣୟ ନେଇଛନ୍ତି ମୋଦି । କଂଗ୍ରେସ ମୂଳରୁ କ୍ଷମତାରେ ରହିବା ପାଇଁ ଚାହୁଁଛି । ଶାହ କହିଛନ୍ତି ସରକାର ମଣିପୁର ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଅଗଷ୍ଟ ୧୧ ତାରିଖରୁ ପ୍ରସ୍ତୁତ ହୋଇସାରିଛି ହେଲେ ବିରୋଧୀ ଏହି ଆଲୋଚନାରୁ ଦୂରାଇ ରହୁଛି । ଏପରି ଅନେକ ତର୍କ ବିତର୍କ ଲାଗି ରହିଛି ସଂସଦରେ l ଏସବୁ ଭିତରେ ଆଜି ଶେଷ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁଁହ ଖୋଲିବେ ବୋଲି ଆଶା କରାଯାଉଛି l