
ଭୁବନେଶ୍ୱର: ଅଗଷ୍ଟ ୧୬ରୁ ହେବ ଘରୋଇ ବସ୍ ଧର୍ମଘଟ । ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ହେବ ବୋଲି ରାଜ୍ୟ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ବିଭିନ୍ନ ଅଞ୍ଚଳକୁ ‘ମୋ ବସ୍’ ଚଳାଚଳ କରିବା ଦ୍ୱାରା ଘରୋଇ ବସ୍ ମାଲିକ ମାନଙ୍କର କ୍ଷତି ହେଉଛି । ରାଜ୍ୟ ସରକାର ଅଗଷ୍ଟ ୧୫ ସୁଦ୍ଧା ଏହି ସମସ୍ୟାର ସମାଧାନ ନ କଲେ, ଅଗଷ୍ଟ ୧୬ରୁ ଘରୋଇ ବସ୍ ଧର୍ମଘଟ ହେବ ବୋଲି ରାଜ୍ୟ ବସ୍ ମାଲିକ ସଂଘ ସରକାରଙ୍କୁ ଚେତାବନୀ ଦେଇଛି । ସେମାନଙ୍କ କହିବା ଅନୁଯାୟୀ କେବଳ ସହରାଞ୍ଚଳରେ ‘ମୋ ବସ୍’ ଚଳାଚଳ କରିବା ନେଇ ନିୟମ ହୋଇଥିଲେ ହେଁ ବେଆଇନ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ‘ମୋ ବସ୍’ ଚଳାଚଳ କରୁଛି । ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମଧ୍ୟ ମୋ ବସ୍ ସେବା ଯୋଗାଇ ଦେବାକୁ ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଏହା ଚଳାଚଳ କରିବ । ତେଣୁ ଏସବୁ ଯୋଗୁଁ ଘରୋଇ ବସ୍ ମାଲିକ ମାନଙ୍କର କ୍ଷତି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଗତକାଲି ଏନେଇ ସଂଘର ଏକ ଜରୁରୀ ବୈଠକ ଡକାଯାଇଥିଲା । ଏଥିରେ ୬୩ଟି ଆଞ୍ଚଳିକ ସଂଘର କର୍ମକର୍ତ୍ତା ଓ ବସ୍ ମାଲିକମାନେ ଯୋଗ ଦେଇଥିଲେ। ଏଥିରେ ମୋ ବସ୍ ଚଳାଚଳ ଦ୍ବାରା ହେଉଥିବା କ୍ଷତି ଏବଂ ଗଣ୍ଡଗୋଳ ପରିସ୍ଥିତି ନେଇ ଆଲୋଚନା ହୋଇଥିଲା । ଏହା ପରେ ବସ୍ ଧର୍ମଘଟ ନେଇ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ରାଜ୍ୟ ସରକାର ଯଦି ଏହି ପ୍ରସ୍ତାବରୁ ନ ଓହରିବେ ତେବେ ସମସ୍ତ ବସ୍ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟ ସରକାର ଯଦି ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ୧୬ ଠାରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି । ତେବେ ବିଶେଷ କରି ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବନ୍ଦ କରିବାକୁ ବସ ମାଲିକସଙ୍ଘଙ୍କ ଦାବି ରହିଛି ଏବଂ ଗ୍ରାମାଞ୍ଚଳକୁ ମୋ ବସ ଚଳାଚଳକୁ ରୋକିବାକୁ ସେମାନେ କହିଛନ୍ତି l