ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ରାଜନୈତିକ ଦଳ । ଗୋଟିଏ ପଟେ ବିଜେପି ଲଗାତାର ତୃତୀୟ ଥର କ୍ଷମତାକୁ ଆସିବା ପାଇଁ ସମସ୍ତ ପ୍ରକରା ଉଦ୍ୟମ କରୁଛି । ଏଥି ସହ ବିରୋଧୀ ଦଳ ମୋଦୀ ସରକାରକୁ କ୍ଷମତାରୁ ହଟାଇବାକୁ କମର କଷିଛନ୍ତି । ଏହି ସମୟରେ ବିରୋଧୀ ଦଳ ଏକାଠି ହୋଇ ‘ଇଣ୍ଡିଆ’ (ଇଣ୍ଡିଆନ ନେସନାଲ ଡେମୋକ୍ରେଟିକ ଇନକ୍ଲୁସିଭ ଆଲିଆନ୍ସ) ନାମକ ଏକ ଦଳ ଗଠନ କରି ବିଜେପି ବିରୁଦ୍ଧରେ ଲଢ଼ିବାକୁ ପ୍ରସ୍ତୁତ। ଏବେ ଇଣ୍ଡିଆର ଦ୍ୱିତୀୟ ବୈଠକ ଅଗଷ୍ଟ 15 ପରେ ମୁମ୍ବାଇରେ ହେବ ନେଇ ସୂଚନା ମିଲିଛି । ଏହି ବୈଠକରେ ସମସ୍ତ 26 ବିରୋଧୀ ଦଳ ମିଳିତ ମଞ୍ଚର ସଂଯୋଜକଙ୍କ ନାମରେ ମୋହର ମାରିବେ। କେବଳ ଏତିକି ନୁହେଁ, ସିଟ୍ ଆବଣ୍ଟନ ଉପରେ ମଧ୍ୟ ଆଲୋଚନା ହୋଇପାରେ । ଜୁନ୍ 23 ରେ ପାଟନାରେ ବିରୋଧୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ସମସ୍ତ ବିରୋଧୀ ଦଳ ବେଙ୍ଗାଲୁରୁରେ ଏକାଠି ହୋଇଥିଲେ । ଏଥିରେ ମିଳିତ ମଞ୍ଚର ନାମ ‘INDIA’ ରଖାଯାଇଥିଲା । ଏହା ସହିତ ନିଷ୍ପତ୍ତି ନିଆଯାଇଛି ଯେ ଏହି ମିଳିତ ମଞ୍ଚର ଏକ ସଂଯୋଜକ ଏବଂ ୧୧ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟି ଗଠନ କରାଯିବା। ବର୍ତ୍ତମାନ ଏହା ଅଗଷ୍ଟ ୧୫ ତାରିଖ ପରେ ଅନୁମୋଦନ ହେବାର ସମ୍ଭାବନା ଅଛି ।
ଅଗଷ୍ଟ ୧୫ ରେ ‘ଇଣ୍ଡିଆ’ ର ଦ୍ୱିତୀୟ ବୈଠକ
